ଆଖି ପିଛୁଳାକେ ୧୨ ଲକ୍ଷ ଗାଏବ କରିନେଲେ ସାଇବର ଠକ
ବ୍ରହ୍ମପୁର: ପିଏମ କିଷାନ ଯୋଜନା ନାଁରେ ଆସିଥିବା ଏପିକେ ଫାଇଲକୁ ନିଜ ମୋବାଇଲରେ ଡାଉନଲୋଡ୍ କରି ଗଞ୍ଜାମର ୨ଜଣ ସାଇବର ଠକେଇର ଶିକାର ହୋଇଛନ୍ତି। ଠକମାନେ ଉଭୟଙ୍କ ମୋବାଇଲକୁ ହ୍ୟାକ୍ କରିବା ସହ ବ୍ୟାଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ୩୫ ହଜାର ଟଙ୍କା ଠକି ନେଇଛନ୍ତି। ଏ ନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ୨ଟି ମାମଲା ରୁଜୁ ହୋଇଛି।
ସୂଚନାପ୍ରକାରେ, ଛତ୍ରପୁର ନିକଟ କେଳୁଆପଲ୍ଲୀରେ ରହୁଥିବା ଜଣେ ୩୩ ବର୍ଷୀୟ ମହିଳାଙ୍କ ହ୍ବାଟ୍ସଆପ୍କୁ ୩ ଦିନ ତଳେ ଏକ ବାର୍ତ୍ତା ଆସିଥିଲା। ପିଏମ-କିଷାନ ଯୋଜନାର ଲାଭ ଉଠାଇବାକୁ ହେଲେ ଉକ୍ତ ଲିଙ୍କକୁ କ୍ଲିକ କରି ସବିଶେଷ ତଥ୍ୟ ଜାଣିବାକୁ କୁହାଯାଇଥିଲା। ମହିଳା ଜଣଙ୍କ ଉକ୍ତ ଲିଙ୍କକୁ କ୍ଲିକ କରି ଏପିକେ ଫାଇଲ ଡାଉନଲୋଡ୍ କରିଥିଲେ। ଏହାପରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫ ଲକ୍ଷ ୮୪ ହାଜର ଟଙ୍କା ଉଭାନ୍ ହୋଇଯାଇଥିଲା। ଆକାଉଣ୍ଟରୁ ଟଙ୍କା କଟିବା ବାର୍ତ୍ତା ଆସିବା ପରେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।
ସେହିପରି ବ୍ରହ୍ମପୁରର ଲୋଚାପଡାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ହ୍ବାଟ୍ସଆପ୍ ନମ୍ବରକୁ ୩ ଦିନ ତଳେ ଏକ ଅଜଣା ନମ୍ବରରୁ ବାର୍ତ୍ତା ଆସିଥିଲା। ସେଥିରେ ମଧ୍ୟ ପିଏମ-କିଷାନ ଯୋଜନା ବିଷୟରେ ଉଲ୍ଲେଖ ରହିଥିଲା। ସେହି ଲିଙ୍କ ସହ ଏପିକେ ଫାଇଲ ମଧ୍ୟ ଆସିଥିଲା। ବ୍ୟକ୍ତି ଜଣଙ୍କ ଉକ୍ତ ଫାଇଲରେ କ୍ଲିକ କରିବା ପରେ ତାଙ୍କ ମୋବାଇଲ ସହ ଲିଙ୍କ ଥିବା ବିଭିନ୍ନ ଆକାଉଣ୍ଟରୁ ୬ ଲକ୍ଷ ୫୧ ହଜାର ଟଙ୍କା ଗାଏବ ହୋଇ ଯାଇଥିଲା।
Powered by Froala Editor