ଅଧିକରୁ ଅଧିକ ମହିଳାଙ୍କ ଭରସା ଓଡ଼ିଶା ଯାତ୍ରୀ ଆପ୍
ଭୁବନେଶ୍ୱର : ଓଡ଼ିଶା ଯାତ୍ରୀ ଗମନାଗମନ ବ୍ୟବସ୍ଥା ଉପରେ ଦିନକୁ ଦିନ ଅଧିକରୁ ଅଧିକ ମହିଳା ଯାତ୍ରୀ ଭରସା କରୁଥିବା ଜଣାପଡିଛି। ଓଡ଼ିଶା ଯାତ୍ରୀ ଆପର ପ୍ଲାଟଫର୍ମରୁ ମିଳିଥିବା ତଥ୍ୟ ଅନୁଯାୟୀ, ୫୭.୪୪ ପ୍ରତିଶତରୁ ଅଧିକ ମହିଳା ଏହାର ବ୍ୟବହାର କରିଛନ୍ତି। ୨୦୨୪ ଅକ୍ଟୋବରରୁ ୨୦୨୫ ଜୁଲାଇ ଅର୍ଥାତ ଗତ ୧୦ ମାସ ମଧ୍ୟରେ ମଧ୍ୟରେ ‘ଓଡ଼ିଶା ଯାତ୍ରୀ’ ବ୍ୟବସ୍ଥା ବ୍ୟବହାର କରିଥିବା ମୋଟ ୨ ଲକ୍ଷ ୫୭ ହଜାର ଯାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୪୮ ହଜାରରୁ ଅଧିକ ମହିଳା ଉପଭୋକ୍ତା ଅଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫ ଜାନୁଆରୀରେ ଓଡ଼ିଶା ଯାତ୍ରୀ ଆପ୍’ର ଶୁଭାରମ୍ଭ କରିଥିଲେ। ୨୦୨୪ ଅକ୍ଟୋବରରେ ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା। ସୂଚନା ମୁତାବକ, ଗତ ଜାନୁଆରୀରେ ୬୧.୬୩% ଏବଂ ଜୁଲାଇରେ ୫୫.୩୩% ମହିଳା ଏହାର ବ୍ୟବହାର କରିଥିଲେ, ଯାହା ପୁରୁଷ ଯାତ୍ରୀଙ୍କଠାରୁ ଅଧିକ। ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି, ପ୍ରବର୍ତ୍ତନ ଏବଂ ପରିବହନ କର୍ତ୍ତୃପକ୍ଷଙ୍କ ସହିତ ଓଡ଼ିଶା ଯାତ୍ରୀ ଆପର ସମନ୍ୱୟ ମହିଳା ଏବଂ ଅନ୍ୟାନ୍ୟ ଦୁର୍ବଳ ଗୋଷ୍ଠୀଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ଯାତାୟାତ ଅଭିଜ୍ଞତା ସୃଷ୍ଟି କରିଛି।
Powered by Froala Editor