ନଭେମ୍ବର ୧୫ରୁ ଆରମ୍ଭ ହେବ ଇକୋ ରିଟ୍ରିଟ୍, ଆରମ୍ଭ ହେଲାଣି ଅନ୍ଲାଇନ ବୁକିଂ
ଭୁବନେଶ୍ୱର: ଚଳିତବର୍ଷ ନଭେମ୍ବର ୧୫ରୁ ଆରମ୍ଭ ହେବ ଇକୋ ରିଟ୍ରିଟ୍। ଏବେଠାରୁ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତି ସହିତ ଅନ୍ଲାଇନ ବୁକିଂ ଆରମ୍ଭ କରିଦେଲାଣି। ଚଳିତବର୍ଷ କୋଣାର୍କ, ଦାରିଙ୍ଗବାଡ଼ି, ହୀରାକୁଦ, ସାତକୋଶିଆ, ଭିତରକନିକା, ପାତିସୋନାପୁର ଏବଂ ପୁଟସିଲ୍ରେ ଇକୋ ରିଟ୍ରିଟ୍ କରାଯିବ। ୬ଟି ସ୍ଥାନରେ ନଭେମ୍ବର ୧୫ରୁ ଏହା ଆରମ୍ଭ ହେବାକୁ ଥିବା ବେଳେ ଡିସେମ୍ବର ୧୩ରେ କୋଣାର୍କରେ ଏହାର ଆରମ୍ଭ ହେବ। ପ୍ରାକୃତିକ ପରିବେଶକୁ ଉପଭୋଗ କରିବାକୁ ଆସୁଥିବା ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ନିକଟସ୍ଥ ଗାଁ ଭ୍ରମଣରେ ନିଆଯିବ।
ଏବର୍ଷ ଇକୋ ରିଟ୍ରିଟ୍ ବୁକିଂ ଶୁଳ୍କରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ଡିଲକ୍ସ ଓ ପ୍ରିମିୟମ ବୁକିଂ ଶୁଳ୍କ ଗତବର୍ଷ ତୁଳନାରେ ବୃଦ୍ଧି ହୋଇଛି। ଗତବର୍ଷ ଡିଲକ୍ସ ଶୁଳ୍କ ୫୦୦୦ଟଙ୍କା ରହିଥିବା ବେଳେ ଏବର୍ଷ ତା’ର ମୂଲ୍ୟ ୫୪୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ପ୍ରିମିୟମର ବୁକିଂ ଶୁଳ୍କ ୬୫୦୦ ଟଙ୍କା ରହିଥିବା ବେଳେ ଏବର୍ଷ ୭୦୦୦ଟଙ୍କାକୁ ବୃଦ୍ଧି ହୋଇଛି।
କୋଣାର୍କରେ ୭୦ଟି ଟେଣ୍ଟ ନିର୍ମାଣ ହେବା ସହିତ ଡିଲକ୍ସ, ପ୍ରିମିୟମରେ ରୟାଲ ଓ ରେସିଡେନ୍ସ ସୁବିଧା ମିଳିବ। ଅନ୍ୟ ୫ଟି ଇକୋ ରିଟ୍ରିଟ୍ରେ ଡିଲକ୍ସ ପାଇଁ ୨୫ ଓ ପ୍ରିମିୟମ୍ ପାଇଁ ୨୫ଟି ଟେଣ୍ଟ କରାଯିବ। ହୀରାକୁଦ ଇକୋ ରିଟ୍ରିଟ୍ରେ କେବଳ ପ୍ରିମୟମ୍ ୨୫ଟି ଟେଣ୍ଟ ନିର୍ମାଣ ହେବ। ଇକୋ ରିଟ୍ରିଟ୍ରେ ପର୍ଯ୍ୟଟକ ରାତ୍ରିଯାପନ ସହ ସୁସ୍ବାଦୁ ଦେଶୀ ଖାଦ୍ୟ ଖାଇବାର ମଜା ନେବେ। ପ୍ରାକୃତିକ ପରିବେଶର ନିଆରା ଅନୁଭୂତି ସାଉଁଟିବେ। କୋରାପୁଟର ରାଣୀ ଡୁଡୁମା, ଗିରିଧାରୀ ଭ୍ରମଣ, ସାତକୋଶିଆର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ସହ ବୋଟିଂ, କଇଁଛ, କୁମ୍ଭୀର, ହରିଣ ସହିତ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କୁ ଦେଖିବାର ସୁଯୋଗ ନେବେ। ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ରେ ଜଙ୍ଗଲ ପରିବେଶ ଭିତରେ ଜଳପ୍ରପାତ, ମୁଦିବନ୍ଧ, କଫି ଗାର୍ଡେନ, ଲଭର୍ସ ପଏଣ୍ଟ ଓ ମଣ୍ଡାସୁରରେ ପର୍ଯ୍ୟଟକ ବୁଲିବାର ମଜା ନେବେ। ସେହିପରି ଭିତରକନିକାରେ ବରୁଣେଈ ଜଙ୍ଗଲ ଭ୍ରମଣ, ଜଳକ୍ରୀଡ଼ା, ବୋଟିଂର ମଜା ନେବେ। କୋଣାର୍କ, ହୀରାକୁଦ, ପାତି ସୋନାପୁରରେ ସାମୁଦ୍ରିକ ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକ ଉପଭୋଗ କରିବା ସହ ବିଳାସବ୍ୟସନ ରହଣି ସାଙ୍ଗକୁ ଖାଦ୍ୟ ପାନୀୟର ମଜାନେବେ। ରାଜ୍ୟ ପର୍ଯ୍ୟଟନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ସହଯୋଗରେ ଇକୋ ରିଟ୍ରିଟ୍ର କ୍ଷେତ୍ର ଚିହ୍ନଟ ହୋଇଛି। ଚଳିତ ବର୍ଷ ଇକୋ ରିଟ୍ରିଟ୍ ପଞ୍ଚମ ବର୍ଷରେ ପଦାର୍ପଣ କରିଛି।
Powered by Froala Editor