ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ପୁଣି ଥରେ ଘୁଞ୍ଚିପାରେ ୩୧ରେ ହେବାକୁ ଥିବା ପରୀକ୍ଷା
କଟକ: ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ସୋମବାର କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିଥିଲା। ଚୌଦ୍ବାର ଜେଲ୍ରୁ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏବଂ ଶିକ୍ଷକ ନେତା ବିଜୟ ମିଶ୍ରଙ୍କୁ ଆଣି କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ଜେରା କରାଯାଇଥିଲା। ପ୍ରାୟ ୩ରୁ ୪ ଘଣ୍ଟା ଧରି ଉଭୟଙ୍କୁ ପୃଥକ ଭାବେ ଜେରା କରାଯାଇଥିବାବେଳେ ଆଜି ସାମ୍ନାସାମ୍ନି ଜେରା କରାଯିବ ବୋଲି ଏକ ବିଶେଷ ସୂତ୍ରରୁ ଖବର ମିଳିଛି। ପ୍ରଥମ ଦିନରେ ପ୍ରଶ୍ନପତ୍ର ପ୍ରଘଟ କାରବାରରେ ଜିତନଙ୍କ ସହ ନିହାରଙ୍କର ଏବଂ ବିଜୟଙ୍କ ସମ୍ପୃକ୍ତି କେତେ ଦିନ ଧରି ରହିଛି, କେବଳ ଏହି ଘଟଣାରେ ନା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ କାରବାରରେ ସମସ୍ତ ଅଭିଯୁକ୍ତଙ୍କର ସମ୍ପୃକ୍ତି ରହିଛି, ସେଥିନେଇ କ୍ରାଇମବ୍ରାଞ୍ଚ ଟିମ୍ ଜେରାବେଳେ ପଚାରିଛି। ଦୁଇ ଅଭିଯୁକ୍ତ ସେମାନଙ୍କର ମୋବାଇଲରୁ କିଛି ତଥ୍ୟ ଡିଲିଟ କରିଥିବା ଜଣାପଡ଼ିଛି। ଜିତନ ପ୍ରଶ୍ନପତ୍ର ଚୋରିରେ ବ୍ୟବହାର କରିଥିବା ପେନଡ୍ରାଇଭ ମିଳୁନଥିବାବେଳେ ହାତଲେଖା ପ୍ରଶ୍ନପତ୍ର କ୍ରାଇମବ୍ରାଞ୍ଚ ନିକଟରେ ନଥିବା ଜଣାପଡ଼ିଛି। ରିମାଣ୍ଡ ଶେଷ ହେବା ପରେ ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ସାମ୍ନାକୁ ଆସିବ। ଅନ୍ୟପକ୍ଷରେ ଆସନ୍ତା ଅଗଷ୍ଟ ୩୧ରେ ପୁଣି ଥରେ ସ୍ବତନ୍ତ୍ର ଓଟିଇଟି ହେବାକୁ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା; କିନ୍ତୁ ଉକ୍ତ ପରୀକ୍ଷା ଘୁଞ୍ଚିବ ବୋଲି ଚର୍ଚ୍ଚା ଜୋର ଧରିଛି। ପରୀକ୍ଷା ଘୁଞ୍ଚାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ବୋର୍ଡ ପକ୍ଷରୁ ଚିଠି କରାଯାଇଛି। ତେବେ ପରୀକ୍ଷା କାହିଁିକି ଘୁଞ୍ଚାଯାଉଛି, ସେଥିନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।
Powered by Froala Editor