ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ସଂପର୍କିତ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଭୁବନେଶ୍ବର: ବେଆଇନ ଭାବେ ଶିକ୍ଷକଙ୍କ ବଦଳି କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତର ସହିତ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ସ୍କୁଲରେ ୨୦୨୫, ଅଗଷ୍ଟ ୧ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ (ପିଟିଆର) ସଂପର୍କିତ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେତେ ଶିକ୍ଷକ ପଦବି ଖାଲି ରହିଛି ଓ ଏହି ପଦପୂରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ସୀତାକାନ୍ତ ସାମଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ଯେ ବହୁ ସମୟରେ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବା ସ୍କୁଲରୁ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ବଦଳି କରାଯାଉଛି । ଏଥି ସହିତ ବଦଳି ଗାଇଡଲାଇନ ଅନୁସାରେ ଶିକ୍ଷକଙ୍କ ଗୋଟିଏ ସ୍କୁଲରେ ଅବଧି ପୂରଣ ହେବା ପୂର୍ବରୁ ଅନ୍ୟତ୍ର ବଦଳି କରାଯାଉଛି । ଏଭଳି ସ୍ଥିତିରେ ବହୁ ସ୍କୁଲରେ ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ବଜାୟ ରଖାଯାଇ ପାରୁ ନାହିଁ। ଶିକ୍ଷା ଅଧିକାର ସମ୍ବିଧାନର ଧାରା ୨୧ର ଅଂଶବିଶେଷ ବୋଲି ସୁପ୍ରିମକୋର୍ଟଙ୍କ ରାୟ ରହିଛି । ଏଭଳି ସ୍ଥିତିରେ ପ୍ରଶାସନରେ ଏଭଳି ଅଭାବକୁ କୋର୍ଟ ଜାଣି ଶୁଣି ଅଣଦେଖା କରି ପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।
Powered by Froala Editor