ବହି ଲେଖି ବିବାଦରେ କରୀନା
କିଛି ଦିନ ତଳେ ବଲିଉଡର ବେବୋ କରୀନା କପୁର ଖାନ୍ ନିଜର ଲିଖିତ ବହି ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକର ଶୀର୍ଷକ ରହିଛି ‘Pregnancy Bible’। କିନ୍ତୁ ବହିକୁ ନେଇ ଏବେ ବିବାଦ ଦେଖାଦେଇଛି । ଏପରିକି ଏକ ଖ୍ରୀଷ୍ଟିୟାନ ସଂଗଠନ ମାମଲା ରୁଜୁ କରିଛି । ଶୀର୍ଷକର ନାମକୁ ନେଇ ଏବେ ମହାରାଷ୍ଟ୍ରର ବିଡରେ ଏକ ଖ୍ରୀଷ୍ଟିୟାନ ସଂଗଠନ ଥାନାରେ କରୀନା କପୁର ଏବଂ ଅନ୍ୟ ୨ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
ସଂଗଠନ ଅଭିଯୋଗ କରିଛି ଯେ, ଅଭିନେତ୍ରୀଙ୍କ ପୁସ୍ତକର ଶୀର୍ଷକରେ ସେମାନଙ୍କ ସଂପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଲାଗିଛି। ଅଲପା ଓମେଗା ଖ୍ରୀଷ୍ଟିୟାନ ମହାସଂଘର ଅଧ୍ୟକ୍ଷ ଆଶିଷ ସିନ୍ଦେ ଏହି ପୁସ୍ତକର ନାମ ଉପରେ ଆପତ୍ତି ପ୍ରକାଶ କରି ଶିବାଜୀ ନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ କହିଛନ୍ତି ଯେ, ଏହି ପୁସ୍ତକରେ ଶୀଷର୍କର ନାଁ ଖ୍ରୀଷ୍ଟିୟାନଙ୍କ ପବିତ୍ର ଶବ୍ଦ ବାଇବେଲ୍ର ବ୍ୟବହାର କରାଯାଇଛି। ସିନ୍ଦେ ଏହି ମାମଲାରେ ଭାରତୀୟ ଦଣ୍ଡ ସଂହିତାର ଧାରା ୨୯୫-ଏ ଆଧାରରେ କେସ୍ ରୁଜୁ କରିବାକୁ ଦାବି କରିଛନ୍ତି। କିନ୍ତୁ ଶିବାଜୀ ନଗର ପୋଲିସ ଷ୍ଟେସନର ଭାରପ୍ରାପ୍ତ ଥାନା ଅଧିକାରୀ କହିଛନ୍ତି, ଏ ପର୍ଯ୍ୟନ୍ତ ମାମଲା ରୁଜୁ କରାଯାଇ ନାହିଁ। କାରଣ ଏହି ଘଟଣା ଆମ ଥାନା ଅନ୍ତର୍ଗତରେ ଆସୁନାହିଁ। ମୁଁ ଏହାକୁ ମୁମ୍ବାଇରେ ଅଭିଯୋଗ କରିବାକୁ କହିଛି।
ସୂଚନା ଯେ, କରୀନା ମହିଳାମାନଙ୍କ ଉପରେ ବହି ଲେଖିବାକୁ ଘୋଷଣା କରିଥିଲେ । ଏହି ବହି ମଧ୍ୟ ସେ ମହିଳାଙ୍କ ଉପରେ ପର୍ଯ୍ୟବେସିତ । ଜୁଲାଇ ୯ ତାରିଖରେ ସେ ଏହାକୁ ଉନ୍ମୋଚନ କରିଥିଲେ । କିନ୍ତୁ ବହିର ଟାଇଟଲଙ୍କୁ ନେଇ ବିବାଦ ଦେଖାଦେଇଛି ।
Powered by Froala Editor