+୨ ଫର୍ମପୂରଣ ପାଇଁ ବ୍ୟବହାର ହେବନି କାଗଜପତ୍ର

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ କ୍ଷେତ୍ରରେ ଆସିବ ସ୍ବଚ୍ଛତା। ୨୦୨୫-୨୬ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀ ଆଉ ପରୀକ୍ଷା ପାଇଁ ଅଫ୍ଲାଇନ୍ରେ ଫର୍ମପୂରଣ କରିବେନି ବରଂ ଶତପ୍ରତିଶତ ଅନ୍ଲାଇନ୍ରେ ଫର୍ମପୂରଣ କରାଯିବ। ଫର୍ମପୂରଣ ପାଇଁ ପରିଷଦ ସାମ୍ସଠାରୁ ନାମଲେଖା ତଥ୍ୟ ସଂଗ୍ରହ କରିଛି। କୌଣସି ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଯେପରି ପରିଷଦ ନ ଆସିବେ ସେ ନେଇ ଅନଲାଇନ ପ୍ରକ୍ରିୟାରେ ସମସ୍ତ କାର୍ଯ୍ୟ କରିବାକୁ କୁହାଯାଇଛି। ଏଥିସହିତ ୱେବ୍ସାଇଟ୍ରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ପ୍ରାୟ ୨୪୦୦ରୁ ଊର୍ଦ୍ଧ୍ବ କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ପରିଷଦ ସହ ଅନୁବନ୍ଧିତ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ପରିଷଦ କାର୍ଯ୍ୟାଳୟକୁ ଆସିବାକୁ ପଡୁଥିଲା ଓ ସେଥିଯୋଗୁଁ ପରିଷଦରେ ଦୁର୍ନୀତି ବଢୁଥିବା ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟଶୈଳୀରେ ସ୍ବଚ୍ଛତା ଆଣିବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଯେଭଳି କାର୍ଯ୍ୟାଳୟ ନଆସିବେ ସେନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ତେବେ ଏହା ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରି ନଥିଲା। ଏହାକୁ ଦୃଷ୍ଟିରେ ରଖି ଏବେ ସମସ୍ତ କାମ କାଗଜପତ୍ର ମୁକ୍ତ କରିବା ପାଇଁ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସମସ୍ତ ତଥ୍ୟ ପରିଷଦର ୱେବ୍ସାଇଟ୍ରେ ଅପ୍ଡେଟ୍ କରିବାକୁ ନିର୍ଦେଶ ଦିଆଯାଇଛି। ମୁଖ୍ୟତଃ କେଉଁ ଶିକ୍ଷାନୁଷ୍ଠାନ କେଉଁ କାଗଜପତ୍ର ଦାଖଲ କରିବେ ସେ ସମ୍ବନ୍ଧୀୟ ତଥ୍ୟ ଏଣିକି ପରିଷଦ ୱେବ୍ସାଇଟ୍ରେ ପ୍ରକାଶ ପାଇବ। ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ପରିଷଦର ଧାର୍ଯ୍ୟ ଫର୍ମାଟ୍ରେ ଇ-ମେଲ୍ କିମ୍ବା ପୋଷ୍ଟରେ ତଥ୍ୟ ପଠାଇବେ। ମାତ୍ର ପରିଷଦ କାର୍ଯ୍ୟାଳୟ ଆସିବେ ନାହିଁ। ପରିଷଦ ସହିତ ସମସ୍ତ ପତ୍ର ବିନିମୟ, ଦସ୍ତାବିଜ୍ ଉପସ୍ଥାପନ ଏବଂ ଫି’ ଜମା କରିବା ଇତ୍ୟାଦି କାର୍ଯ୍ୟ ଡାକ, ଇ ମେଲ୍ କିମ୍ବା ଅନ୍ଲାଇନ୍ ମାଧ୍ୟମରେ କରିବାକୁ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏହାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ସବୁ ମହାବିଦ୍ୟାଳୟ ମୁଖ୍ୟଙ୍କୁ କୁହାଯାଇଛି।
Powered by Froala Editor