ବଡ଼ ଠାକୁରଙ୍କ ପାଇଁ ପ୍ରସ୍ତୁତ ହେଉଛି ବଡ଼ ରାଖି

ପୁରୀ: ଶନିବାର ରାଖି ପିନ୍ଧିବେ ମହାପ୍ରଭୁ । ବଡ଼ ଠାକୁରଙ୍କ ପାଇଁ ବଡ଼ ରାଖି ପ୍ରସ୍ତୁତିରେ ଲାଗିଛନ୍ତି ସେବାୟତ। ବିଭିନ୍ନ ରଙ୍ଗର ରାଖି ପିନ୍ଧିବେ ଚତୁଦ୍ଧାମୂର୍ତ୍ତି। ଗହ୍ମା ପୂନେଇଁରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧିବେ ଭଉଣୀ ସୁଭଦ୍ରା । ଦୁଇ ଭାଇ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧି ନିଜ ପାଇଁ ସୁରକ୍ଷା ଲୋଡ଼ିବେ ଦେବୀ ସୁଭଦ୍ରା। ମହାପ୍ରଭୁଙ୍କ ରାଖି ତିଆରି କରୁଥିବା ସ୍ବତନ୍ତ୍ର ସେବକ ପାଟରା ବିଷୋୟୀ ସେବକ ନିଜ ବାସଗୃହରେ ରାଖୀ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥ ଦୁଇଟି ଓ ଶ୍ରୀବଳଭଦ୍ର ଦୁଇଟି ଲେଖାଏଁ ରାଖି ପରିଧାନ କରିଥାନ୍ତି। ଏଥିସହ ହାତରେ ଦୁଇଟି ଲେଖାଏଁ ଗୁଆ/ମାଳ ପରିଧାନ କରି ରାଖି ପୂର୍ଣ୍ଣିମାରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ରାଖି ତିଆରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ବିଷୋୟୀ ସେବକଙ୍କୁ ଆବଶ୍ୟକ ପରିମାଣର ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି। ଏହାକୁ ପ୍ରାକୃତିକ ରଙ୍ଗରେ ବୁଡ଼ାଇ ଖରାରେ ଶୁଖାଯାଏ। ହଳଦିଆ, ନାଲି, ନେଳି ଓ ବାଇଗଣୀ ରଙ୍ଗରେ ବାସୁଙ୍ଗା ପାଟକୁ ରଙ୍ଗିନ କରାଯିବା ପରେ ତାକୁ ନିର୍ଦ୍ଦିଷ୍ଟ ମାପରେ କଟାଯାଇ ଗୋଲେଇ ଆକାରରେ ପ୍ରସ୍ତୁତ କରାଯାଇଥାଏ। କାଠ ପାନିଆରେ ଏହାକୁ ସାଇଜ କରାଯାଇ ୫ଥାକିଆ ରାଖୀ ପ୍ରସ୍ତୁତ କରାଯାଏ। ବାସୁଙ୍ଗା ପାଟରେ ଡୋରି ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଏହାବ୍ୟତୀତ ବାସୁଙ୍ଗା ପାଟରେ ୧୫ଟି ଛୋଟ ରାଖି ପ୍ରସ୍ତୁତ କରାଯାଏ। ଶ୍ରୀମନ୍ଦିର ଭିତରେ ଥିବା ପାଶ୍ୱର୍ ଦେବାଦେବୀ ମଧ୍ୟ ଏହି ଛୋଟ ରାଖିକୁ ପରିଧାନ କରିଥାନ୍ତି । ଶ୍ରୀମନ୍ଦୀରରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଏ।
Powered by Froala Editor