୧୮ବେଳକୁ କାଳବୈଶାଖୀ ସହ ପ୍ରବଳ ବର୍ଷା

ଭୁବନେଶ୍ୱର : ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ୧୮ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତନ ଆସିବ । ଉତ୍ତର, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ଓ ୧୯ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ସମୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ସହ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବତଲକରେ ସର୍ବାଧିକ ୧୦ ସେମି ବର୍ଷା ହୋଇଥିବା ବେଳେ କନ୍ଧମାଳର ଜି ଉଦୟଗିରିରେ ୭, ସୁନ୍ଦରଗଡ଼ର ରାଜଗାଙ୍ଗପୁର ଓ କନ୍ଧମାଳର ଟିକାବାଲିରେ ୫ ସେମି ଲେଖାଏଁ ବର୍ଷା ହୋଇଛି । ନ ହେଲେ ବାକି ସ୍ଥାନଗୁଡ଼ିକରେ ୫ ସେମିରୁ କମ ବର୍ଷା ରେକର୍ଡ କରାଯାଇଛି । ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ଜାରି ରହିଛି । ଜୁନ ପହିଲାରୁ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକ ଭାବେ ଯେତିକି ବର୍ଷା ହେବା କଥା ତା’ଠାରୁ ୨୦% କମ ହୋଇଛି । ୧୭ ତାରିଖ ପରେ ବର୍ଷା ପରିମାଣ ସାମାନ୍ୟ ବଢ଼ିବ ବୋଲି ସେ କହିଛନ୍ତି ।
Powered by Froala Editor