ଆଜି ହେବ ବଳଙ୍ଗା ଘଟଣାର ରହସ୍ୟ ଉନ୍ମୋଚନ

ଭୁବନେଶ୍ବର: ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ଼ ସରିଛି। ପୁରୀ ଜିଲା ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ଼ ସହ ତଦନ୍ତ ପରିସରକୁ ଆସିଥିବା ସମସ୍ତଙ୍କୁ ଜେରା କରି ତଥ୍ୟ ହାସଲ ଶେଷ ହୋଇଛି। ଆଜି ଏହି ସମ୍ବେଦନଶୀଳ ଘଟଣାର ରହସ୍ୟ ଉନ୍ମୋଚନ ଲାଗି ଯୋଜନା ହୋଇଥିବା ଜଣାପଡିଛି। ଉପରିସ୍ଥ ଅଧିକାରୀଙ୍କୁ ସମସ୍ତ ବିଷୟରେ ଅବଗତ କରାଯାଇଛି। ସମସ୍ତ ପ୍ରମାଣ ମିଳିସାରିଥିଲେ ବି ନାବାଳିକା ମାମଲା ଓ ଅତି ସମ୍ବେଦନଶୀଳ ଥିବାରୁ ସମୟ ନିଆଯାଉଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ପୁରୀ ପୁଲିସକୁ କ୍ରାଇମବ୍ରାଞ୍ଚ ଦଳ ତଦନ୍ତରେ ସହାୟତା କରୁଥିଲା। ତଦନ୍ତକାରୀ ଦଳ ସତ୍ୟ ଆଧାରିତ ତଥ୍ୟରେ ପହଞ୍ଚି ସାରିଛନ୍ତି। ସେହିପରି ପୀଡ଼ିତାଙ୍କ ବୟାନ ରେକର୍ଡ କରି ଦିଲ୍ଲୀ ଏମ୍ସରୁ ଫେରିଛନ୍ତି ତଦନ୍ତକାରୀ ଅଧିକାରୀ ତଥା ଡିଏସ୍ପି କଳ୍ପନା କଅଁର ଓ ବଳଙ୍ଗା ଥାନାଧିକାରୀ। ପରେ ବରିଷ୍ଠ ଅଧିକାରୀଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି। ସମସ୍ତ ତଥ୍ୟକୁ ଅଦାଲତରେ ମଧ୍ୟ ଦାଖଲ କରାଯାଇଛି।
ଜନୈକ ଅଧିକାରୀଙ୍କ କହିବା ଅନୁସାରେ, କୌଣସି କାରଣକୁ ନେଇ ପୀଡ଼ିତା ମାସେରୁ ଅଧିକ ଦିନ ହେବ ମାନସିକ ଅବସାଦରେ ଥିଲେ। ଏହି କାରଣକୁ ନେଇ ଏହି ଅଘଟଣ ଘଟିଥାଇପାରେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ସେପଟେ ପୀଡ଼ିତାଙ୍କୁ ୩ ଜଣ ଉଠାଇ ନେଇଥିବା ପ୍ରତ୍ୟକ୍ଷଦର୍ଶୀ ଦୁଃଖିଶ୍ୟାମ ସେନାପତିଙ୍କୁ ସେ କହିନଥିବା ପୁଲିସ ଆଗରେ ବୟାନ ଦେଇଥିଲେ। ଏହି ଘଟଣା ପ୍ରଘଟ ହେବା ପରଠାରୁ ଦୁଃଖିଶ୍ୟାମଙ୍କ ସନ୍ଧାନ ମିଳୁନି। ସେ ଘରୁ ବାହାରୁ ନାହାନ୍ତି ଓ ଗଣମାଧ୍ୟମ ଆଗରେ ବି ମୁହଁ ଖୋଲୁନାହାନ୍ତି। ଏକପ୍ରକାର ସେ ଆତ୍ମଗୋପନ କରିଥିବା କୁହାଯାଉଛି। ସେ ଘଟଣାର ମୋଡ଼ ବଦଳାଇବାକୁ ମନଗଢ଼ା ବୟାନ ଦେଇଥିବା କଥା ଚର୍ଚ୍ଚା ହେଉଛି। ଏଥିସହ ଘଟଣା ଘଟିଥିବା ସ୍ଥାନରେ କେନାଲ ପାଣି ମାଡ଼ିଯାଇଛି।
Powered by Froala Editor