ବ୍ୟାଡମିଣ୍ଟନ ଖେଳିବା ବେଳେ ଯୁବକଙ୍କ ହୃଦ୍ଘାତରେ ମୃତ୍ୟୁ

ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ଶଟଲ୍ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ୨୫ ବର୍ଷୀୟ ଯୁବକ ଗୁଣ୍ଡଲା ରାକେଶଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି। ଷ୍ଟାଡିୟମକୁ ବ୍ୟାଡମିଣ୍ଟନ ଖେଳିବାକୁ ଯାଇଥିବା ସମୟରେ ଯୁବକଙ୍କ ହଠାତ୍ ମୃତ୍ୟୁ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାକେଶ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ଏବଂ ସେ ଖମ୍ମାମ ଜିଲାର ତାଲ୍ଲାଡ଼ାର ପୂର୍ବତନ ଉପ-ସରପଞ୍ଚ ଗୁଣ୍ଡଲା ବେଙ୍କଟେଶ୍ୱରଲୁଙ୍କ ପୁତ୍ର ଥିଲେ।
ଘଟଣାର ସିସିଟିଭି ଫୁଟେଜ୍ ଭାଇରାଲ ହୋଇଛି, ଯେଉଁଥିରେ ଦେଖାଯାଉଛି ରବିବାର ରାତି ପ୍ରାୟ ୮ଟା ବେଳେ ରାକେଶ ଡବଲ୍ସ ବ୍ୟାଡମିଣ୍ଟନ ମ୍ୟାଚ୍ ଖେଳୁଥିବା ବେଳେ ଶଟଲକକ୍ ଉଠାଇବାକୁ ନଇଁପଡ଼ିବା ପରେ ହଠାତ୍ କୋର୍ଟରେ ଢଳି ପଡ଼ିଥିଲେ। ତାଙ୍କ ବନ୍ଧୁମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ପରୀକ୍ଷା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏତେ କମ ବୟସରେ ଏକ ସକ୍ରିୟ ଓ ସୁସ୍ଥ ଦେଖାଯାଉଥିବା ଯୁବକଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଯୁବବର୍ଗଙ୍କ ମଧ୍ୟରେ ହୃଦ୍ଘାତ ସମ୍ପର୍କିତ ଚିନ୍ତାକୁ ପୁନର୍ବାର ଉଠାଇଛି। କରୋନା ପରଠାରୁ ଏହି ସଂଖ୍ୟା ଅଧିକ ବଢ଼ିଥିବାରୁ କରୋନା ଟିକାକୁ ଏହାର କାରଣ ବୋଲି ଅନେକ ଦାବି କରୁଛନ୍ତି। ବିଭିନ୍ନ ଗବେଷକ ଏବଂ ଡାକ୍ତର ଏହି ଦାବିକୁ ଖଣ୍ଡନ କରିଥିଲେ ମଧ୍ୟ ହୃଦଘାତର ସଂଖ୍ୟା ବଢ଼ୁଥିବା ଦେଖି ଲୋକଙ୍କ ମନରେ ଏବେ ବି କରୋନା ଟିକାକୁ ନେଇ ସନ୍ଦେହ ରହିଛି।
Powered by Froala Editor