ଭଦ୍ରକ ଓ ଯାଜପୁର ଜିଲାକୁ ଆସୁଛି ବନ୍ୟା
ଭୁବନେଶ୍ବର: ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଉତ୍ତର ଓଡ଼ିଶାରେ ସୁବର୍ଣ୍ଣରେଖା, ବୈତରଣୀ, ଜଳକା, ବ୍ରାହ୍ମଣୀ ଏବଂ ବୁଢାବଳଙ୍ଗ ଫୁଲୁଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲାରେ ବନ୍ୟା ଆସୁଛି। ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଜିଲାପାଳଙ୍କୁ ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଅଧିକାରୀମାନେ ଜିଲାକୁ ଯାଇ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ବୈତରଣୀର ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ମିଟର ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ଏଠାରେ ୩୯.୧୬ମିଟରରେ ବନ୍ୟା ପାଣି ପ୍ରବାହିତ ହେଉଛି। ଆଖୁଆପଦାରେ ବିପଦ ସଙ୍କେତ (୧୮.୩୩ ମିଟର) ଉପରେ ବନ୍ୟା (୧୮.୮୮ମିଟର) ପ୍ରବାହିତ ହେଉଛି। ଜଳକାରେ ମଥାନୀଠାରେ ଜଳସ୍ତର ବିପଦ ସଙ୍କେତ ୬.୫୦ମିଟର ଥିବାବେଳେ ୭.୧୩ମିଟର ଜଳ ପ୍ରବାହ କରୁଛି। ଏଠାରେ ଜଳସ୍ତର କମିଛି। ସୁବର୍ଣ୍ଣରେଖାର ଜାମଶୋଳାଘାଟଠାରେ ବିପଦ ସଙ୍କେତ ୪୯.୧୬ମିଟର ଥିବାବେଳେ ୫୦.୬୪ମିଟରରେ ଜଳ ପ୍ରବାହ କରୁଛି। ରାଜଘାଟଠାରେ ମଧ୍ୟ ଜଳସ୍ତର ବଢ଼ୁଛି। ବ୍ରାହ୍ମଣୀର ଜେନାପୁରଠାରେ ବନ୍ୟା ପାଣି ବିପଦ ସଙ୍କେତ ତଳେ ଥିବାବେଳେ ପାନପୋଷଠାରେ ବିପଦ ସଙ୍କେତ ନିକଟତର ହୋଇଛି। ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲାପାଳଙ୍କୁ ବନ୍ୟା ସ୍ଥିତିକୁ ଦେଖି ତଳିଆ ଅଞ୍ଚଳ ଲୋକଙ୍କୁ ଶୀଘ୍ର ନିରାପଦ ଉଚ୍ଚସ୍ଥାନକୁ ସ୍ଥାନାନ୍ତର ଓ ରିଲିଫ ଯୋଗାଇବାକୁ କୁହାଯାଇଛି। ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ଅବବାହିକାର ମୁଖ୍ୟଯନ୍ତ୍ରୀ ତଥା ଅବବାହିକା ପରିଚାଳକ, ମହାନଦୀ-ବ୍ରାହ୍ମଣୀ-ବୈତରଣୀ ସିଷ୍ଟମର ମୁଖ୍ୟଯନ୍ତ୍ରୀ ତଥା ଅବବାହିକା ପରିଚାଳକ, ମୁଖ୍ୟଯନ୍ତ୍ରୀ ଓ ଅବବାହିକା ପରିଚାଳକ,ବୈତରଣୀ ବେସିନ୍ କ୍ଷେତ୍ରସ୍ତରରେ ଜିଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟାସ୍ଥିତି ତଦାରଖ କରୁଛନ୍ତି। ସୁବର୍ଣ୍ଣରେଖା ଓ ବୈତରଣୀ ବଢ଼ୁଥିବାରୁ ଜଳ ସମ୍ପଦ ବିଭାଗର ଦୁଇଜଣ ସର୍ବୋଚ୍ଚ ଯନ୍ତ୍ରୀ ଭୁବନେଶ୍ୱରରୁ ସୁବର୍ଣ୍ଣରେଖା ଓ ବୈତରଣୀ ଅବବାହିକାକୁ ଯାଇ ସଂପୃକ୍ତ ନଦୀ ଅବବାହିକାରେ ତଦାରଖ କରୁଛନ୍ତି।
ଅନୁଗୋଳ ଜିଲା କଣିହାଁ ବ୍ଲକ୍ ରେଙ୍ଗାଳି ଜଳ ଭଣ୍ଡାରର ୩ଟି ଫାଟକ ଖୋଲାଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଳି ଜଳଭଣ୍ଡାରରେ ବ୍ରାହ୍ମଣୀର ଜଳସ୍ତର ବୃଦ୍ଧି ପାଇଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ବୈତରଣୀ ଓ ଜଳକା ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ସୁବର୍ଣ୍ଣରେଖା ଅବବାହିକାରେ ୯୩.୯୯ମି.ମି., ମହାନଦୀ ଉପର ମୁଣ୍ଡରେ ୩୫ମି.ମି. ବର୍ଷା ହୋଇଛି। ମୟୂରଭଞ୍ଜ ଜିଲାର ୧୩ ବ୍ଲକରେ ୧୦୦ମି.ମି.ରୁ ଅଧିକ ବର୍ଷା ହୋଇଛି। ଗାଲଡ଼ିହି ଫାଟକ ଖୋଲାଯାଇଛି। ଏଥିପାଇଁ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସିବ। ଜଳକା ବିପଦ ସଂକେତ ଉପରେ ରହିଛି। ବୈତରଣୀ ଆଖୁଆପଦାରେ ବିପଦ ସଂକେତ ଉପରେ ଅଛି। ଯାଜପୁର ଓ ଭଦ୍ରକ ଜିଲାପାଳଙ୍କୁ ଅବଗତ କରାଯାଇଛି। ଚାନ୍ଦବାଲି, ଧାମନଗର ଓ ଯାଜପୁର, ଦଶରଥପୁରକୁ ବନ୍ୟା ପ୍ରଭାବିତ କରିବ। ବ୍ରାହ୍ମଣୀରେ ୩୮ମି.ମି.ବର୍ଷା ହୋଇଛି। ଜେନାପୁରରୁ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯିବ।
Powered by Froala Editor