ଭୋକରେ ଆଉଟୁପାଉଟୁ ଗାଜା ଡାକ୍ତର, ରୋଗୀ ସେବା କରୁ କରୁ ହେଉଛନ୍ତି ଅଚେତ୍
ଗାଜା: ଇସ୍ରାଏଲ ଆକ୍ରମଣରେ ଗାଜା ଉପତ୍ୟକାରେ ଖେଳୁଥିବା ମୃତ୍ୟୁର ତାଣ୍ଡବ ଅନ୍ୟ ଏକ ଭୟଙ୍କର କାହାଣୀ ଉପସ୍ଥାପନ କରିଛି। ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼ରେ ଗାଜାର ଡାକ୍ତରଖାନାଗୁଡ଼ିକ ଧ୍ବଂସସ୍ତୂପରେ ପରିଣତ ହୋଇଥିବାବେଳେ ଯେଉଁ କେତୋଟି ଡାକ୍ତରଖାନା ଆଶା ଭାରସାର କେନ୍ଦ୍ର ହୋଇ ରହିଛି ସେଠାରେ ଚିକିତ୍ସା ପ୍ରାୟ ଅସମ୍ଭବ ସ୍ଥିତିରେ ପହଞ୍ଚିଲାଣି। ସବୁଠୁ ଚିନ୍ତାଜନକ ହେଉଛି, ଡାକ୍ତରଖାନା କର୍ମଚାରୀ ଓ ଖୋଦ୍ ଡାକ୍ତରମାନେ ଏବେ ଭୋକରେ ଆଉଟୁପାଉଟୁ ହେଉଛନ୍ତି। ଗାଜା ଉପତ୍ୟକାର ଅନ୍ୟତମ ସର୍ବବୃହତ୍ ଡାକ୍ତରଖାନା ଅଲ୍-ସିଫା ହସ୍ପିଟାଲର ନିର୍ଦେଶକ ଡା. ମହମ୍ମଦ ଅବୁ ସେଲ୍ମିଆଙ୍କ କହିବାନୁସାରେ ଗାଜାରେ ୯୪ ପ୍ରତିଶତ ହସ୍ପିଟାଲ ଧ୍ବଂସ ହୋଇଯିବା ଫଳରେ ଉପତ୍ୟକାର ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ମୋଟ ୩୬ ମଧ୍ୟରୁ ମାତ୍ର ୧୯ଟି କଷ୍ଟେମଷ୍ଟେ ଚାଲିଛି। ଆକ୍ରମଣରେ ଅଲ୍-ସିଫା ଡାକ୍ତରଖାନା ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି। ଅସ୍ଥାୟୀ ଶିବିରରେ ଚିକିତ୍ସା ଚାଲିଛି। ସେଠାରେ ଜୀବନ ରକ୍ଷାକାରୀ ଔଷଧ କିମ୍ବା ଚିକିତ୍ସା ସରଞ୍ଜାମର ଘୋର ଅଭାବ ଲାଗିରହିଛି। ଆଶୁ ଚିକିତ୍ସା ୱାର୍ଡ କିମ୍ବା ଅେସ୍ତ୍ରାପଚାର ଗୃହ ନାହିଁ। ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଡାକ୍ତର ଓ କର୍ମଚାରୀ ସେବା ଯୋଗାଉଛନ୍ତି। ସେମାନଙ୍କୁ କ୍ରମାଗତ ୨୪ ଘଣ୍ଟା ଧରି କାର୍ଯ୍ୟରତ ହେବାକୁ ପଡ଼ୁଛି। ଅତ୍ୟଧିକ କାର୍ଯ୍ୟଚାପ ଓ ଖାଦ୍ୟାଭାବ ଯୋଗୁଁ ଅନେକ ସମୟରେ ଡାକ୍ତର ଓ କର୍ମଚାରୀ ଅଚେତ ହୋଇପଡ଼ୁଛନ୍ତି। ପୂର୍ବରୁ କାର୍ଯ୍ୟ ସମୟରେ ଡାକ୍ତର ଓ କର୍ମଚାରୀଙ୍କୁ ଖାଦ୍ୟ ମିଳୁଥିଲା; କିନ୍ତୁ ଏବେ ମିଳୁନାହିଁ। ଏଭଳି ସ୍ଥିତିରେ ଛିଡ଼ା ହେବାକୁ ଆମର ଶକ୍ତି ନାହିଁ ବୋଲି କହିଛନ୍ତି ଡା.ସେଲ୍ମିଆ। ଦିନକରେ ସେ ବିନା ଖାଦ୍ୟରେ ୬୦ ସ୍ନାୟୁଶଲ୍ୟ ରୋଗୀଙ୍କ ଚିକିତ୍ସା କରିବା ପରେ ଛିଡ଼ା ହେବାର ଶକ୍ତି ହରାଇଛନ୍ତି। ସେ ଏକା ନୁହନ୍ତି, ଅନେକଙ୍କ ଅବସ୍ଥା ସେମିତି ବୋଲି ଡା. ସେଲମିଆ କହିଛନ୍ତି।
ସେହି ଡାକ୍ତରଖାନାର ଅନ୍ୟ ଜଣେ ଡାକ୍ତରଙ୍କ କହିବାନୁସାରେ, ପ୍ରାୟ ଦୁଇ ଦିନ ହେଲା ସେ କିଛି ଖାଇବାକୁ ପାଇନାହାନ୍ତି। ତାଙ୍କର ଆଉ ଚଳତ୍ ଶକ୍ତି ନାହିଁ। ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଭୋକରେ ରହିଛନ୍ତି। ସେ କାର୍ଯ୍ୟକ୍ଷେତ୍ରରୁ ଛୁଟି ନେଇପାରୁନାହାନ୍ତି, ବଜାରରେ ମଧ୍ୟ କିଛି ଖାଦ୍ୟପଦାର୍ଥ ମିଳୁନାହିଁ। ପରିବାରକୁ କେମିତି କିଛି ଖାଦ୍ୟ ପଠାଇବେ ସେଥିନେଇ ସେ ଚିନ୍ତିତ। ନାସିର ମେଡିକାଲ କେମ୍ପ୍ଲକ୍ସର ଜଣେ ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କ ଡାକ୍ତରଖାନାକୁ ଆସୁଥିବା ଅଧିକାଂଶ ରୋଗୀ ଖାଦ୍ୟାଭାବ ଓ ପୁଷ୍ଟିହୀନତାରେ ପୀଡ଼ିତ। ସେ ଦୁଇ ଦିନ ହେଲା କିଛି ନଖାଇ କାମ କରିବା ଫଳରେ ନିମ୍ନ ରକ୍ତଚାପରେ ପୀଡ଼ିତ। ଚିକିତ୍ସା କରିବାକୁ ସେ ଅକ୍ଷମ ହୋଇପଡ଼ିଲେଣି।
Powered by Froala Editor