ନୂଆ ଉପରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ପ୍ରସ୍ତୁତି
ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଯଥାଶୀଘ୍ର ତାଙ୍କ ଉତ୍ତରାଧିକାରୀ ଚୟନ ପାଇଁ ନିର୍ବାଚନ ହେବ। ସମ୍ବିଧାନର ଧାରା ୬୮ର ଉପଧାରା ୨ ଅନୁଯାୟୀ ମୃତ୍ୟୁ, ଇସ୍ତଫା, ଅପସାରଣ କିମ୍ବା ଅନ୍ୟ କୌଣସି କାରଣରୁ ଉପରାଷ୍ଟ୍ରପତି ପଦ ଖାଲି ହେବା ପରେ ସେହି ପଦବୀ ପୂରଣ ପାଇଁ ଯଥାଶୀଘ୍ର ନିର୍ବାଚନ ହେବା ଜରୁରି।
ଏହି କାର୍ଯ୍ୟ ସମ୍ବିଧାନର ଅନୁଚ୍ଛେଦ ୩୨୪ ଅନୁସାରେ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ଅନୁସାରେ ନିର୍ବାଚନ କମିଶନ ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଉଭୟ ସଦନର ସାଂସଦଙ୍କ ନିର୍ବାଚନମଣ୍ଡଳି ଗଠନ ଓ ନିର୍ବାଚନ ଅଧିକାରୀଙ୍କ ଚୟନ ଆରମ୍ଭ କରିଛନ୍ତି। ଏହି ନିର୍ବାଚନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଅଧିନିୟମ ୧୯୫୨ ଓ ରାଷ୍ଟ୍ରପତି ଉପରାଷ୍ଟ୍ରପତି ନିର୍ବାଚନ ନିୟମ ୧୯୭୪ର ପ୍ରାବଧାନ ଅନୁସାରେ ସମ୍ପନ୍ନ ହେବ। ଏଣୁ ଲୋକସଭା ଓ ରାଜ୍ୟସଭାର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କ ନିର୍ବାଚନମଣ୍ଡଳି ସୂଚୀ ଏବେ ପ୍ରସ୍ତୁତ ହେଉଛି।
ଯଦିଓ କାର୍ଯ୍ୟକାଳ ୫ ବର୍ଷ, ତଥାପି ଜଣେ ଉତ୍ତରାଧିକାରୀ ଦାୟିତ୍ୱ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଉପରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ ହେବା ପରେ ପଦରେ ରହିପାରିବେ। ସମ୍ବିଧାନ ଅନୁଯାୟୀ ଉପରାଷ୍ଟ୍ରପତି ରାଜ୍ୟସଭା ଅଧ୍ୟକ୍ଷ ଭାବରେ ଦାୟିତ୍ବ ତୁଲାଇଥାନ୍ତି। ତେଣୁ ଇସ୍ତଫା ଆଦି କାରଣରୁ ଏହି ପଦ ଖାଲି ପଡ଼ିଲେ ରାଜ୍ୟସଭାର ଉପାଧ୍ୟକ୍ଷ କିମ୍ବା ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନ୍ୟ କୌଣସି ରାଜ୍ୟସଭା ସଦସ୍ୟ ସେହି ଦାୟିତ୍ବ ତୁଲାଇଥାନ୍ତି। ରାଷ୍ଟ୍ରପତିଙ୍କ ନିକଟରେ ଉପରାଷ୍ଟ୍ରପତି ଇସ୍ତଫାପତ୍ର ଦାଖଲ କରି ପଦ ତ୍ୟାଗ କରିପାରିବେ। ଏହି ଇସ୍ତଫା ଗ୍ରହଣ ହେବା ଦିନଠାରୁ କାର୍ଯ୍ୟକାରୀ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ୨୧ ଜୁଲାଇ ସୋମବାର ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦବୀରୁ ଇସ୍ତଫା ଦେଇଥିଲେ। ତେବେ ତାଙ୍କ କାର୍ଯ୍ୟକାଳ ୧୦ ଅଗଷ୍ଟ ୨୦୨୭ରେ ସମାପ୍ତ ହେବାର ଥିଲା।
Powered by Froala Editor