ଲଙ୍କାକାଣ୍ଡ: ସ୍ତ୍ରୀ ରହୁଥିବା ଭଡ଼ାଘରେ ନିଆଁ ଲଗାଇ ଦେଲା ସ୍ଵାମୀ
ପିପିଲି: ପାରିବାରିକ କଳହକୁ ନେଇ ସ୍ୱାମୀ ଲଙ୍କାକାଣ୍ଡ ଘଟାଇଛି। ସ୍ତ୍ରୀ ରହୁଥିବା ଭଡ଼ାଘରେ ସ୍ୱାମୀ ନିଆଁ ଲଗାଇ ଦେବାରୁ ଘରେ ଥିବା ଏକ ସ୍କୁଟର, ବାଇକ୍ ଓ ସାଇକେଲ ଜଳି ପୋଡି ପାଉଁଶ ହୋଇଯାଇଛି। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପତ୍ନୀଙ୍କ ସମେତ ଦୁଇ କନ୍ୟା ଓ ପତ୍ନୀଙ୍କ ବାପା, ମାଆ। ପିପିଲି ପୌରାଞ୍ଚଳ ଅନ୍ତର୍ଗତ ବଣିଆ ସାହିରେ ଘଟିଛି ଏଭଳି ଘଟଣା।
ସୂଚନା ଅନୁଯାୟୀ, ବଣିଆ ସାହିରେ ଏକ ଭଡା ଘରେ ନିଜ ଦୁଇ କନ୍ୟାଙ୍କ ସହ ଲିପିକା ପ୍ରଧାନ ରହୁଥିଲେ। ତାଙ୍କ ସହ ତାଙ୍କ ବାପା ଓ ମାଆ ମଧ୍ୟ ରହୁଥିଲେ। ପାରିବାରିକ କଳହ କାରଣରୁ ତାଙ୍କ ସ୍ୱାମୀ ଆବୁଆ ପ୍ରଧାନ ସେଠାରେ ନରହି ନିଜ ହସନପୁର ସ୍ଥିତ ଘରେ ରହୁଥିଲେ। ବିଭିନ୍ନ ସମୟରେ ତାଙ୍କ ସ୍ୱାମୀ ଉକ୍ତ ଭଡାଘରକୁ ଆସି ଟଙ୍କା ମାଗିବା ସହ ଗଣ୍ଡଗୋଳ ସୃଷ୍ଟି କରୁଥିବା ଲିପିକା ଅଭିଯୋଗ କରିଛନ୍ତି। ତେବେ, ସୋମବାର ବିଳମ୍ବିତ ରାତ୍ରିରେ ତାଙ୍କ ସ୍ୱାମୀ ଉକ୍ତ ଘର ନିକଟକୁ ଆସି ଝରକା ବାଟେ ଘର ଭିତରକୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିବା ଲିପିକା ଗଣମାଧ୍ୟମକୁ କହିଛନ୍ତି। ଫଳରେ ଘର ମଧ୍ୟରେ ଥିବା ଏକ ସାଇକେଲ, ସ୍କୁଟର ଓ ବାଇକ ଜଳି ପାଉଁଶ ହୋଇଯାଇଥିଲା। ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ସମେତ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ, ଏସ୍ଆଇ ଭାସ୍କର ମାଣିଆ, ସୁରମା ସ୍ୱାଇଁ, ଏଏସ୍ଆଇ ସୁବାଷ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକୁ ଆୟତ୍ତ କରିଥିଲେ। ପରେ ଘର ମଧ୍ୟରେ ଥିବା ଲିପିକା ଓ ତାଙ୍କ ବାପା, ମାଆଙ୍କ ସମେତ ଦୁଇ କନ୍ୟାଙ୍କୁ ଉଦ୍ଧାର କରିଥିଲେ। ଏନେଇ ଲିପିକାଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଆବୁଆକୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।
Powered by Froala Editor