ଝାଡ଼ାବାନ୍ତି ଆକ୍ରାନ୍ତରେ ୩ ମୃତ
ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଲକର ଆଦିବାସୀ ଅଧ୍ୟୁଷିତ ଟି.ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଦାମପୁରରେ ଝାଡ଼ାବାନ୍ତି ରୋଗ ବ୍ୟାପୀ ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସମ୍ବାରୁ ମଳିକ(୬୪), କାନ୍ଦ୍ରା ମଳିକ(୬୨) ଏବଂ ସୁକ୍ରି ମଳିକ। ସମ୍ବାରୁ ଓ କାନ୍ଦ୍ରା ଶନିବାରଠାରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କ୍ବାକ୍ଙ୍କ ଦ୍ବାରା ଚିକିତ୍ସିତ ହେଉଥିଲେ। କିନ୍ତୁ ମଙ୍ଗଳବାର ଦୁହେଁ ଗୁରୁତର ହୋଇପଡ଼ିଥିଲେ। ସମ୍ବାରୁଙ୍କ ମୃତ୍ୟୁର ଘଣ୍ଟାକ ପରେ କାନ୍ଦ୍ରା ମଳିକଙ୍କ ମୃତ୍ୟୁ ଘଟିଥିଲା। ଅପରପକ୍ଷେ ସୁକ୍ରି ମଳିକଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ଟି. ଗୋବିନ୍ଦପୁର ସରପଞ୍ଚ ପ୍ରତିନିଧି ମଙ୍ଗଳା ଗମାଙ୍ଗ ଝାଡ଼ାବାନ୍ତି ନେଇ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇବା ପରେ ସେଠାରେ ଡାକ୍ତରୀଦଳ ପହଞ୍ଚିଥିବା ଜଣାପଡ଼ିଛି। ଗ୍ରାମରେ ଓଆରଏସ ବଣ୍ଟନ ସହ ବର୍ଷାଦିନରେ ଫୁଟାପାଣି ପିଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବ୍ରହ୍ମପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଗାଚରଣ ସାହୁ, ସାନଖେମୁଣ୍ଡି ସହକାରୀ ଯନ୍ତ୍ରୀ ଉପମା ଘଡେ଼ଇ, ପୁନା ଭୂୟାଁ ଦାମପୁରରେ ପହଞ୍ଚି ଲୋକେ ବ୍ୟବହାର କରୁଥିବା ପାଣିର ନମୁନା ଯାଞ୍ଚ କରିଛନ୍ତି। ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ରକୁମାର ମିଶ୍ର ମଧ୍ୟ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
Powered by Froala Editor