ଦିଖାଙ୍କ ‘ଡଙ୍ଗା ନୃତ୍ୟ’ ପରେ ଟ୍ରେଣ୍ଡ୍ କରୁଛି ‘ଅରା ଫାର୍ମିଂ’

ଏକ କାଠ ଡଙ୍ଗା ଉପରେ ଇଣ୍ଡୋନେସିଆର ଜଣେ ପିଲାର ନୃତ୍ୟ ଭିଡିଓ ଖୁବ୍ ଭାଇରାଲ ହେଉଛି । ୧୧ ବର୍ଷୀୟ ବାଳକ ରାୟାନ ଅର୍କାନ ଦିଖା ‘ଡଙ୍ଗା ନୃତ୍ୟ’ ଜରିଆରେ ରାତାରାତି ଇଣ୍ଟର୍ନେଟ୍ ସେନ୍ସେସନ୍ ପାଲଟିଛନ୍ତି ।
ଭିଡିଓରେ ଡଙ୍ଗା ଦୋହଲିବା ସମୟରେ ବି ରାୟାନଙ୍କୁ ବେଶ ଆରାମରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଏହି ଆକର୍ଷଣୀୟ ନୃତ୍ୟ ପାଇଁ ନାମୀ ସେଲିବ୍ରିଟିଙ୍କ ସମେତ ଲକ୍ଷାଧିକ ଲୋକଙ୍କ ହୃଦୟ ଜିଣିଛନ୍ତି । ଦିଖା ଏଭଳି ଜଣେ ଚେହେରା ପାଲଟିଛନ୍ତି, ଯାହାକୁ ଇଣ୍ଟର୍ନେଟ୍ ‘ଅରା ଫାର୍ମିଂ’ ନାଁ ଦେଇଛି । ଆକର୍ଷଣୀୟ ଓ କୁଲ୍ ଅନ୍ଦାଜ୍ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ଶବ୍ଦ ପ୍ରୟୋଗ କରାଯାଏ । ୧୧ ବର୍ଷୀୟ ଦିଖା ପାରମ୍ପରିକ ପାକୁ ଜଲୁର ପର୍ବରେ ଦ୍ରୁତ ନୌଚାଳନା ସମୟରେ ନୃତ୍ୟ କରୁଥିଲେ ।
ଏହା ସିଙ୍ଗାପୁର ପ୍ରତିରକ୍ଷା ବିଭାଗର ଧ୍ୟାନ ଆକର୍ଷଣ କରିଛି । ସିଙ୍ଗାପୁର ନୌସେନା ତାଙ୍କୁ ସମ୍ମାନ ଜଣାଇଛି । ରାୟାନଙ୍କ ଚିତ୍ତାକର୍ଷକ ନୃତ୍ୟକୁ ସିଙ୍ଗାପୁର ନୌସେନାର ସୈନ୍ୟ ନିଜର ଏମ୍ଏସ୍ଆର୍ଭି ପ୍ରୋଟେକ୍ସର ଜାହାଜରେ ପୁନଃ ପ୍ରଦର୍ଶନ କରିଛନ୍ତି । ଏଥିସହ ଏକ ଆକର୍ଷଣୀୟ କ୍ୟାପ୍ସନ ସହିତ ନୌସେନା ନିଜ ଇନ୍ଷ୍ଟାଗ୍ରାମ୍ରେ ଭିଡିଓ ଶେୟାର କରିଛି, ଯେଉଁଥିରେ ଲେଖିଛି ‘କିଛି ସମୁଦ୍ର-ପ୍ରଶଂସନୀୟ ଭଲ ଆଭା ପ୍ରାପ୍ତ କରୁଛୁ’ ।
ରାୟାନ ୯ ବର୍ଷ ବୟସରୁ ଡଙ୍ଗାରେ ନୃତ୍ୟ କରିଆସୁଛନ୍ତି । ତାଙ୍କ ବାପା ଓ ଦାଦା ପାକୁ ଜଲୁର ଆଥ୍ଲେଟ୍ ଅଛନ୍ତି । ଦିଖା ନିଜେ ନିଜେ ଶିଖି ଓ ଅଭ୍ୟାସ କରି ନୃତ୍ୟ ପ୍ରଦର୍ଶନ କରୁଛନ୍ତି ।
Powered by Froala Editor