ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ପ୍ରେରଣାର ଉତ୍ସ ପଲଟିଛି ଓମ୍ଫେଡ୍
ବାରଙ୍ଗ : ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍ଫେଡ୍ ପ୍ରେରଣାର ଉତ୍ସ ପାଲଟିଛି। ଆଗାମୀ ଦିନରେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଅଧିକ ଅମଳକ୍ଷମ ପ୍ରଜାତିର ୧୦ ହଜାର ଗାଈ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦିଆଯାଇ ରାଜ୍ୟର ଗୋ ଅର୍ଥନୀତିକୁ ସମୃଦ୍ଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ବାରଙ୍ଗ ବ୍ଲକ ଅରିଲୋ, ଗୋବିନ୍ଦପୁର ଓମ୍ଫେଡ୍ ଦୁଗ୍ଧ ଡାଏରୀ ପ୍ଲାଣ୍ଟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି। ଏହି କାର୍ଯ୍ୟକ୍ରମ ମଧ୍ୟରେ ଓମଫେଡ କର୍ମଚାରୀଙ୍କ ଲାଗି ୬୨ଟି ବାସଭବନ, ୨୨ଟି ଦୁଗ୍ଧ ପରିବହନ ଯାନ ସହିତ ଗୁଣ୍ଡ ଦୁଗ୍ଧ ମେସିନର ଶୁଭାରମ୍ଭ କରିଥିଲେ।
ସୂଚନାଯୋଗ୍ୟ ଯେ, ଓମ୍ଫେଡ୍ ସହିତ ଚୁକ୍ତିନାମା ଜରିଆରେ ନେସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡ (ଏନଡିଡିବି) ଓଡିଶାର ଦୁଗ୍ଧ ଚାଷୀମାନଙ୍କୁ ଅଧିକ ଦୁଗ୍ଧ ଅମଳକ୍ଷମ ଉନ୍ନତ ପ୍ରଜାତିର ପ୍ରାୟ ୩ରୁ ୪ ହଜାର ଗାଈ ଯୋଗାଇଦେବ। ଏଥିସହିତ ଆଗାମୀ ଦିନରେ ଏନଡିଡିବି ସହାୟତାରେ ରାଜ୍ୟରେ ଏକ ଗୋବର ଗ୍ୟାସ ପ୍ଲାଣ୍ଟ ମଧ୍ୟ ସ୍ଥାପନ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭.୫୦ କୋଟି ଟଙ୍କା ବିନିଯୋଗରେ ୨ ହଜାରରୁ ୧୫ ହଜାର ଲିଟର ବିଶିଷ୍ଟ ୨୨ଟି ମିଲ୍କ ଟ୍ୟାଙ୍କର ରାଜ୍ୟର ବିଭିନ୍ନ ଦୁଗ୍ଧ ସଂଘଙ୍କୁ ପ୍ରଦାନ କରିବା ସହିତ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ଗୁଣ୍ଡ ଦୁଗ୍ଧ ପ୍ୟାକିଙ୍ଗ ମେସିନର ଉଦ୍ଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କଟକ ସାଂସଦ ଭର୍ତ୍ତୃହରି ମହତାବ, ଓମଫେଡ୍ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଏନଡିଡିବି ପରିଚାଳନା ନିର୍ଦେଶକ ଦେବାନନ୍ଦ, ଓମ୍ଫେଡ୍ ପରିଚାଳନା ନିର୍ଦେଶକ ବିଜୟ ଅମୃତ କୁଲାଙ୍ଗେ, ଓମ୍ଫେଡ ପରିଚାଳନା ସମିତି ସଦସ୍ୟ, ବାରଙ୍ଗ ୩୨ ନମ୍ବର େଜାନ ଜିଲା ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ ଓ ବିଭିନ୍ନ ଦୁଗ୍ଧ ସଂଘର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।
Powered by Froala Editor