ପ୍ରଶ୍ନପତ୍ର ଲିକ୍, ଓଟିଇଟି ପରୀକ୍ଷା ସ୍ଥଗିତ
କଟକ: ଓଡ଼ିଶା ମାଧ୍ୟମିକକ ଶିକ୍ଷା ପରିଷଦ (ବିଏସ୍ଇ) ପରିଚାଳିତ ସ୍ୱତନ୍ତ୍ର ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)କୁ ସ୍ଥଗିତ ରଖାଯାଇଛି। ଜୁଲାଇ ୨୦ରେ ହେବାକୁ ଥିବା ଓଟିଇଟି ପରୀକ୍ଷାର ପ୍ରଥମ ଓ ଦ୍ଵିତୀୟ ପତ୍ରକୁ ଘୁଞ୍ଚାଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି।
ପରୀକ୍ଷା ସ୍ଥଗିତ ରଖିବା ଦ୍ୱାରା ପ୍ରାୟ ୭୫ହଜାର ଶିକ୍ଷକ ନିରାଶ ହୋଇଛନ୍ତି। ସୂଚନା ଅନୁସାରେ ପ୍ରଶ୍ନପତ୍ର ଛପାଯାଇଥିବା ମୁଦ୍ରଣ ସ୍ଥଳରୁ ଏହା ପ୍ରଘଟ ହୋଇଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଠାରେ ଅଭିଯୋଗ ହୋଇଥିଲା। ଏନେଇ ମନ୍ତ୍ରୀ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଏହାର ସତ୍ୟାସତ୍ୟ ପ୍ରସଙ୍ଗରେ ପଚାରିଥିଲେ। କର୍ତ୍ତୃପକ୍ଷ ପ୍ରଥମେ ଏହାକୁ ସ୍ୱୀକାର କରି ନ ଥିବାବେଳେ ପରବର୍ତ୍ତୀ ସମୟରେ ପ୍ରଘଟ ପ୍ରଶ୍ନପତ୍ର ଅସଲି ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଜାଣିବାକୁ ପାଇ ପରୀକ୍ଷାକୁ ବାତିଲ କରାଯାଇଛି। ଏ ସଂକ୍ରାନ୍ତ ଏକ ଚିଠି ବୋର୍ଡ ପକ୍ଷରୁ ଜାରି କରାଯାଇଛି। ସୂଚନାଯୋଗ୍ୟ, ଏସବୁ ଶିକ୍ଷକ ଚାକିରି କରିଥିଲେ ମଧ୍ୟ ଓଟିଇଟି ପାସ୍ କରି ନଥିବାରୁ ସେମାନଙ୍କ ପଦୋନ୍ନତି ହୋଇପାରୁନାହିଁ। ଓଟିଇଟିରେ ଉତ୍ତୀର୍ଣ ହେବାପରେ ସେମାନଙ୍କୁ ପଦୋନ୍ନତି ମିଳିବ ବୋଲି ସରକାର ବାଧ୍ୟତାମୂଳକ ନିୟମ କରିଛନ୍ତି।
Powered by Froala Editor