ଛାତ୍ରୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’
ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’ । ଏନେଇ ବଡ଼ ଘୋଷଣା କରିଛନ୍ତି ସରକାର। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କୁହାଯାଇଛି। ଏଥିପାଇଁ ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। ଏହାସହ ଶକ୍ତିଶ୍ରୀ ମୋବାଇଲ ଆପ ମଧ୍ୟ କାର୍ଯ୍ୟ କରିବ। ଯଦି ଛାତ୍ରୀ ଅସୁବିଧାରେ ପଡ଼ନ୍ତି ନାମ ଗୋପନ ରଖି ଏଥିରେ ପଞ୍ଜୀକୃତ କରିପାରିବେ।
ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧ୍ୟୟନରତ ଛାତ୍ରୀମାନଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଶକ୍ତିଶ୍ରୀ’ ଯୋଜନାର ଘୋଷଣା କରିଛନ୍ତି। ସମ୍ପ୍ରତି ବାଲେଶ୍ୱର ଏଫଏମ କଲେଜରେ ଅଧ୍ୟୟନରତ ଜଣେ ଛାତ୍ରୀ ନିର୍ଯାତନା ସହି ନ ପାରି ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ କରିବା ପରେ ଯେଭଳି ଘଟଣାର ପୁନରାବୃତି ନ ହେବ, ସେ ନେଇ ମୁଖ୍ୟମନ୍ତ୍ରୀ ଶକ୍ତିଶ୍ରୀ ଯୋଜନା ଘୋଷଣା କରିଥିବା ଜଣାପଡିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଏହି କାର୍ଯ୍ୟକ୍ରମର ୮ଟି ପ୍ରମୁଖ ଦିଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିସ୍ତୃତ ସୂଚନା ଦେଇଛନ୍ତି।
ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ଏକ ସ୍ଥାୟୀ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ ହେବ ଯେଉଁଥିରେ ଜଣେ ଛାତ୍ରୀଙ୍କୁ ଶକ୍ତିଶ୍ରୀ ସାଥୀ ଓ ଜଣେ ଅଧ୍ୟାପିକା ଶକ୍ତିଶ୍ରୀ ସଂଯୋଜିକା ଭାବେ କେନ୍ଦ୍ର ପରିଚାଳନା କରିବେ। ଏଥିରେ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା “ଶକ୍ତି ଅପା” ଭାବରେ କାର୍ଯ୍ୟ କରିବେ।
ଅନ୍ୟପକ୍ଷରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବ। ଛାତ୍ରୀମାନଙ୍କୁ ବିଭିନ୍ନ ବ୍ୟାଚ୍ରେ ବିଭକ୍ତ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ।
Powered by Froala Editor