ଦେଢଶୁରର କୋଡ଼ି ଚୋଟରେ ଚାଲିଗଲା ଭାଇବୋହୂର ଜୀବନ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଢେପାଗୁଡା ଗ୍ରାମରେ ଦେଢଶୁରର କୋଡ଼ି ଚୋଟରେ ଭାଇବୋହୂର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ସକାଳେ ଭାଇ ବୈମାଝୀ ପ୍ରେପକା ନିଜ ବିଲକୁ ଯାଇ କାମ କରିଥିବା ବେଳେ ସ୍ତ୍ରୀ ସୌଳେନ୍ଦ୍ରି ସାରକା (୩୫) ଘରେ ରୋଷେଇ କରୁଥିଲେ। ଦେଢଶୁର ଲତ୍ରା ପ୍ରେପକା (୬୦) ଧରିଥିବା କୋଡ଼ିରେ ଭାଇବୋହୂର ମୁଣ୍ଡରେ ଏକ ଚୋଟ ମାରିଥିଲେ। ଯାହାଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡି ରହିଥିଲେ। ପୁଣି ଉକ୍ତ ଖବର ନିଜ ପରିବାରକୁ ଲତ୍ରା କହିଥିଲେ। କିନ୍ତୁ ପରିବାର ବିଶ୍ୱାସ କରିନଥିଲେ। ବାରମ୍ବାର କହିବାରୁ ପିଲାମାନେ ଯାଇ ଦେଖିବା ବେଳେ ସୌଳେନ୍ଦ୍ରି ସାରକା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ। ବୈମାଝୀ ଆସି ଦେଖିବା ପରେ ସଙ୍ଗେସଙ୍ଗେ ରୋଗୀବୁହା ଗାଡିକୁ ଯୋଗାଗୋଗ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଚିନ୍ମୟ ନାୟକ ପ୍ରାଥମିକ ଚିକିତ୍ସା କରି ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ସୂଚନା ମିଳିଛି । ବୈମାଝୀ ପ୍ରେପକା ଶିକ୍ଷକତା କରୁଥିବା ବେଳେ ସ୍ତ୍ରୀ ସୌଳେନ୍ଦ୍ରି ସାରକା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ସଦରମହକୁମାରେ (ଏଏନଏମ )ମହିଳା ସ୍ୱାସ୍ଥ୍ୟ କର୍ମୀଭାବେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।
Powered by Froala Editor