ଜୁଲାଇ ୩୧ ଯାଏ ବୃଦ୍ଧି ହେଲା ଇଗ୍ନୋ ନାମଲେଖା

ଭୁବନେଶ୍ବର : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟରେ ଜୁଲାଇ-୨୦୨୫ ଶିକ୍ଷା ଅଧିବେଶନ ପାଇଁ ନାମଲେଖା ପ୍ରକ୍ରିୟା ଘୋଷଣା କରାଯାଇଛି। ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ିଥିବା କିମ୍ବା ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଥିବା ଯେକୌଣସି ବୟସର ବ୍ୟକ୍ତି ବିଶେଷଙ୍କ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ (ସ୍ନାତକୋତ୍ତର) ପିଜି, ଡିପ୍ଲୋମା (ସ୍ନାତକୋତ୍ତର ଡିପ୍ଲୋମା) ଏବଂ ସାର୍ଟିଫିକେଟ ପ୍ରୋଗ୍ରାମରେ ନାମଲେଖା ପ୍ରକ୍ରିୟା ଚଳିତ ମାସ ୩୧କୁ ବୃଦ୍ଧି କରାଯାଇଛି। ଅଣ୍ଡର ଗ୍ରାଜୁଏଟ (ସ୍ନାତକ) ପ୍ରୋଗ୍ରାମ, ଯଥା- କଳା (ସାଧାରଣ), ବିଜ୍ଞାନ (ସାଧାରଣ), ବାଣିଜ୍ୟ (ସାଧାରଣ) ବିଭାଗରେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦକଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜୀକରଣ ଦେୟ ୫୦% ଛାଡ଼ କରାଯାଇଛି। ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରୁ ରିଆତିର ସୁବିଧା ପାଉଥିବେ, ସେମାନେ ଇଗ୍ନୋ ପକ୍ଷରୁ ଦିଆଯାଉଥିବା ଏହି ରିଆତି ପାଇବାକୁ ଯୋଗ୍ୟ ହେବେ ନାହିଁ। ଇଚ୍ଛୁକ ଛାତ୍ରଛାତ୍ରୀ ଇଗ୍ନୋର ୱେବସାଇଟ www.ignou.ac.in ଏବଂ ଏହି ଲିଙ୍କ http//ignouadmission.samarth.edu.in ଅନୁସରଣ କରିପାରିବେ। ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ବରକୁ ଇ-ମେଲ ମାଧ୍ୟମରେ ଯୋଗାଯୋଗ କରିପାରିବେ ବୋଲି ଇଗ୍ନୋ ତରଫରୁ ବରିଷ୍ଠ ଆଞ୍ଚଳିକ ନିର୍ଦେଶକ ଡ଼. ସୁରେଶ ତ୍ରିପାଠୀ ସୂଚନା ଦେଇଛନ୍ତି।
Powered by Froala Editor