ସତର୍କ ରହିବାକୁ ପରାମର୍ଶ, ବଢୁଛି ସ୍କ୍ରବ ଟାଇଫସ ଭୟ

ଭୁବନେଶ୍ବର: ଡେଙ୍ଗୁ, ମେଲେରିଆ ସାଙ୍ଗକୁ ଝାଡାବାନ୍ତି ଚିନ୍ତା ବଢାଇଥିବାବେଳେ ଏବେ ସ୍କ୍ରବ ଟାଇଫସ ଭୟ ଦେଖାଦେଇଛି। ରାଜ୍ୟରେ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ୧୧ ହଜାର ଅତିକ୍ରମ କରିଛି। କିଛି ସ୍ଥାନରେ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିପାଇଁ ଉପଯୁକ୍ତ ଚିକିତ୍ସା ଦିଆଯାଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସ୍କ୍ରବ ଟାଇଫସ୍ ଚିଗର ନାମକ ପୋକ କାମୁଡ଼ିଲେ ହୋଇଥାଏ। ବରଗଡ଼ ଅଞ୍ଚଳରେ ଜଣେ ଏଥିରେ ଆକ୍ରାନ୍ତ ନେଇ ଅଭିଯୋଗ ହୋଇଛି। ଏବେ ସମ୍ପୃକ୍ତ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି। ଏହାବ୍ୟତୀତ ୭୦ରୁ ଅଧିକ ଅଚିହ୍ନା ରୋଗରେ ପୀଡିତ ଥିବା ଜଣାପଡ଼ିଛି।
ରାଜ୍ୟରେ ଡେଙ୍ଗୁ, ମେଲେରିଆ, ଡିପଥେରିଆ, ଟାଇଫଏଡ, ଚିକେନପକ୍ସ, ସ୍କ୍ରବ ଟାଇଫସ ଆଦି ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ଡେଙ୍ଗୁ ସହିତ ସ୍କ୍ରବ ଟାଇଫସ ରୋଗୀଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। କାରଣ ବର୍ଷା ସମୟରେ ଏହି ଦୁଇ ରୋଗ ବ୍ୟାପିବା ସମ୍ଭାବନା ଅଧିକ ରହିଛି। ବର୍ଷା ଦିନେ ଚାଷୀ ବିଲରେ କାମ କରିବା ସମୟରେ ଚିଗର କୀଟ କାମୁଡିବା ଦ୍ବାରା ସ୍କ୍ରବ ଟାଇଫସ ହୋଇଥାଏ। ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ପଶ୍ଚିମ ଓଡିଶାରେ ଏହି ପୋକ ଅଧିକ ଦେଖାଦେଇଥାଏ। ଏହି ପୋକ କାମୁଡିବାର ୩ ସପ୍ତାହ ମଧ୍ୟରେ ଜ୍ୱର ହୁଏ । ୧୦ ଦିନ ଭିତରେ ଜ୍ୱର ଭଲ ନହେଲେ, ଜଟିଳ ହେବା ସହିତ ମୃତ୍ୟୁ ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଏହା ଯୋଗୁଁ ନିମୋନିଆ, କିଡନୀ, ଯକୃତ ଓ ମସ୍ତିଷ୍କ ମଧ୍ୟ ପ୍ରଭାବିତ ହେବାର ଅଧିକ ଆଶଙ୍କା ରହିଛି। ଏଣୁ ବିଲ ବାଡିରେ କାମ କରୁଥିବା ଲୋକ, ଜଙ୍ଗଲ ଯାଉଥିବା ଲୋକ ପୂରା ହାତ ସାର୍ଟ ପିନ୍ଧିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ସତର୍କ ରହିବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
Powered by Froala Editor