ହାଜତ ଗଲେ ନିଲମ୍ବିତ ଅଧ୍ୟକ୍ଷ

ବାଲେଶ୍ବର: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ପୂର୍ବରୁ ନିଲମ୍ବିତ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ ଗିରଫ ହୋଇଥିବାବେଳେ ନିଲମ୍ବିତ ଅଧ୍ୟକ୍ଷ ଦିଲୀପ କୁମାର ଘୋଷଙ୍କୁ ସୋମବାର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅପରାହ୍ଣରେ ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପଆରକ୍ଷୀ ଅଧୀକ୍ଷକ, ସହଦେବଖୁଣ୍ଟା ଥାନାଧିକାରୀଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀଙ୍କ ଏକ ଦଳ ଅଧ୍ୟକ୍ଷଙ୍କ କ୍ବାର୍ଟର୍ସରେ ପହଞ୍ଚି ତାଙ୍କୁ ଗିରଫ କରିଥିଲେ। ଗିରଫ କରି ତାଙ୍କୁ ଥାନାକୁ ଆଣି କିଛି ସମୟ ପଚରାଉଚୁରା କରିବା ପରେ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିଲା। ୨୨୯/୨୦୨୫ ନମ୍ବରରେ ରୁଜୁ ମାମଲାରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ବିଳମ୍ବିତ ରାତିରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏମ୍ସରେ ମୃତ୍ୟୁ ଘଟିଥିବାରୁ ପୁଲିସ ଅଧ୍ୟକ୍ଷ ଶ୍ରୀ ଘୋଷ ଓ ମୁଖ୍ୟ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କ ବିରୋଧରେ ନରହତ୍ୟା ମାମଲା ରୁଜୁ କରିବା ସମ୍ଭାବନା ରହିଛି। ଏବେ ଉଭୟଙ୍କ ପାଇଁ ଅଡୁଆ ଅଧିକ ବଢ଼ିବ। ଗତକାଲି ଭଳି ଆଜି ମଧ୍ୟ କ୍ରାଇମବ୍ରାଞ୍ଚ ମହିଳା ଓ ଶିଶୁ ସୁରକ୍ଷା ଶାଖାର ଦୁଇ ଜଣିଆ ଦଳ ତଦନ୍ତ ଜାରି ରଖିଥିଲେ। ପୂର୍ବାହ୍ଣରେ ଏହି ଦଳର ସଦସ୍ୟ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଇମାନ କଲ୍ୟାଣୀ ନାୟକ ଓ ଉପଆରକ୍ଷୀ ଅଧୀକ୍ଷକ ରାଜଲକ୍ଷ୍ମୀ ନାୟକ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନିଲମ୍ବିତ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଅନ୍ତରୀଣ ଶୃଙ୍ଖଳା କମିଟି ସଭ୍ୟ ସଭ୍ୟାଙ୍କୁ ସେମାନେ ଦୀର୍ଘ ୩ ଘଣ୍ଟା ଧରି ପଚରାଉଚୁରା କରିଥିଲେ। ଅପରାହ୍ଣ ପ୍ରାୟ ୨ଟାରେ ଏହି ଦଳ କଲେଜ କ୍ୟାମ୍ପସରୁ ଚାଲିଯାଇଥିଲେ। ପରେ ଅଧ୍ୟକ୍ଷ ଶ୍ରୀ ଘୋଷ କଲେଜରୁ ନଲମଗଞ୍ଜସ୍ଥିତ ନିଜ କ୍ବାର୍ଟର୍ସକୁ ଯିବା ପରେ ସେଠାରେ ତାଙ୍କୁ ପୁଲିସ ଗିରଫ କରିଥିଲା।
Powered by Froala Editor