୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଓଡିଶା ଆସୁଛନ୍ତି ରାଷ୍ଟ୍ରପତି । ଚଳିତ ମାସ ୧୪ ତାରିଖରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ। ୧୪ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ। ୧୫ ତାରିଖ ପୂର୍ବାହ୍ନରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପରେ କଟକ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟ ଉନ୍ନତୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେହିଦିନ କଟକରେ ଶାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହ ‘କଳିଙ୍ଗ ରତ୍ନ ପୁରସ୍କାର-୨୦୨୪’ ପ୍ରଦାନ କରିବେ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରମୁଖ ଏମ୍ସ ପରିଦର୍ଶନ କରିବା ସହ ସେଠାକାର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି। ଭୁବନେଶ୍ୱର- କଟକ ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର, ଭୁବନେଶ୍ୱର ଡିସିପିଙ୍କ ସମେତ ଏମ୍ସର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ନିୟୋଜିତ ହେବେ ୫୦ ପ୍ଲାଟୁନ ଫୋର୍ସ । ୮ ଜଣ ଡିସିପି ରାଙ୍କ ଅଫିସର ବି ନିୟୋଜିତ, ୧୧ ଜଣ ଅତିରିକ୍ତ ଡିସିପି, ୩୧ ଜଣ ଏସିପି ରାଙ୍କ ଅଫିସର, ୪୪ ଇନ୍ସପେକ୍ଟର ନିୟୋଜିତ, ୧୮୦ ଜଣ ସବ ଇନ୍ସପେକ୍ଟର ନିୟୋଜିତ । ସେହିପରି ଏମ୍ସ ଭୁବନେଶ୍ୱର, ରାଜଭବନ ଓ ବିଭିନ୍ନ ଟ୍ରାଫିକ ପୋଷ୍ଟ ଓ ନାକା ଅଞ୍ଚଳରେ ପୋଲିସ ଫୋର୍ସ ନିୟୋଜିତ ରହିବେ । ଭୁବନେଶ୍ୱର ଏମ୍ସରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ।
Powered by Froala Editor