ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା: ସରିଲା ରିମାଣ୍ଡ ଅବଧି, ପୁଣି ଜେଲ ଫେରିଲେ ଅଭିଯୁକ୍ତ

ଗୋପାଳପୁର: ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୬ ଅଭିଯୁକ୍ତ ମାନଙ୍କୁ କ୍ରାଇମବ୍ରାଞ୍ଚ ୪୮ ଘଣ୍ଟା ପାଇଁ ରିମାଣ୍ଡରେ ନେଇଥିବା ବେଳେ ଗୁରୁବାର ରିମାଣ୍ଡ ଶେଷ ହୋଇଥିଲା । ଗୋପାଳପୁର ଥାନାରୁ ୬ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବାହାର କରାଯାଇ ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କୋର୍ଟରେ ହାଜର କରାଯାଇଥିଲା । ପରେ ପୁଣି ଥରେ ବ୍ରହ୍ମପୁର ଜେଲକୁ ପଠାଇ ଦିଆଯାଇଛି । ଏହି ୪୮ ଘଣ୍ଟା ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଟିମ ଜଣ ଜଣକୁ ଜେରା କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି । ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ପ୍ରଦାନ ନିମନ୍ତେ କ୍ରାଇମବ୍ରାଞ୍ଚ ଉପଯୁକ୍ତ ପ୍ରମାଣ ସଂଗ୍ରହ କରିଥିବା ନେଇ ଅନୁମାନ କରାଯାଉଛି । ତାହାସହ ଗୋପାଳପୁର ଥାନା ପକ୍ଷରୁ ଆବଶ୍ୟକ ନଥିପତ୍ର କ୍ରାଇମବ୍ରାଞ୍ଚ ହାତକୁ ନେଇଛି ।ଏଥିରେ ଏକାଧିକ ସାକ୍ଷୀ ଥିବା ମଧ୍ୟ ଜଣାପଡ଼ିଛି ।
ଗୁରୁବାର ତଦନ୍ତ କାମ ଶେଷ କରି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ସନ୍ଧ୍ୟା ପ୍ରାୟ ସାଢେ ୭ ଟା ସମୟରେ ଗୋପାଳପୁର ଥାନା ଛାଡ଼ି ଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗୋପାଳପୁର ସମୁଦ୍ର ବେଳାଭୂମିରେ ଜଣେ ଯୁବତୀଙ୍କୁ ହୋଇଥିବା ଗତ ୧୫ ତାରିଖରେ ଗଣଦୁଷ୍କର୍ମ ଘଟଣାରେ ଗୋପାଳପୁର ପୁଲିସ ୧୦ ଜଣକୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି । ଅଧିକ ତଦନ୍ତ ନିମନ୍ତେ କ୍ରାଇମବ୍ରାଞ୍ଚ ହସ୍ତାନ୍ତର ପରେ ଗତ ୨୪ ତାରିଖରେ କ୍ରାଇମବ୍ରାଞ୍ଚ ଆଇ.ଜି ଏସ.ସାଇନି ଓ ଟିମ ପହଂଚି ୬ ଜଣ ସାବାଳକ ଅଭିଯୁକ୍ତଙ୍କୁ ୪୮ ଘଣ୍ଟା ପାଇଁ ରିମାଣ୍ଡରେ ଆଣିଥିଲା । ରିମାଣ୍ଡରେ ଆଣିବା ପରେ ୨୪ ତାରିଖ ସନ୍ଧ୍ୟାରେ ହିଁ କ୍ରାଇମବ୍ରାଞ୍ଚ ଆଇଜି ଏସ.ସାଇନି ପ୍ରାୟ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ୬ ଅଭିଯୁକ୍ତଙ୍କୁ ପଚରାଉଚୁରା କରିଥିଲେ ।
Powered by Froala Editor