ଏକତରଫା ପ୍ରେମର ପ୍ରତିଶୋଧ : ବିବାହିତ ପ୍ରେମିକ ନାଁରେ ମେଲ୍ ଆଇଡି ଖୋଲି ବୋମା ଧମକ ଦେଲେ ଯୁବତୀ

ପୋଲିସ ଚେନ୍ନାଇରୁ ରେନେ ଜୋସିଲଡା ନାମକ ଜଣେ ଯୁବତୀଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ସାରା ଦେଶରେ ୨୧ ଥର ମିଥ୍ୟା ବୋମା ଧମକ ଦେବାର ଅଭିଯୋଗ ରହିଛି। ପ୍ରେମରେ ଅସଫଳ ହେବା ପରେ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ରେନେ ଏ ଅଭିନବ ଉପାୟ ଆପଣେଇଥିବା ବେଳେ ଏବେ ଧରାପଡ଼ିଛନ୍ତି। ଏହି ଧମକଗୁଡ଼ିକ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ସମେତ ୧୨ଟି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥିଲା। ସେ ନିଜ ନାମରେ ନୁହେଁ ବରଂ ତାଙ୍କ ପ୍ରେମିକଙ୍କ ନାମରେ ମେଲ୍ ଆଇଡି ଖୋଲି ଏହି ଧମକ ଦେଉଥିଲେ ବୋଲି ଜାଣିବାକୁ ମିଳିଛି।
ରେନେ ପେଶାରେ ଜଣେ ଇଞ୍ଜିନିୟର ଏବଂ ଚେନ୍ନାଇର ଏକ ବଡ଼ କମ୍ପାନୀରେ କାମ କରନ୍ତି। ପୋଲିସ କହିଛି ଯେ ସେ ତାଙ୍କ ପୂର୍ବତନ ପ୍ରେମିକଙ୍କ ପ୍ରତିଶୋଧ ନେବା ପାଇଁ ଏସବୁ କରିଥିଲେ ଯିଏ ତାଙ୍କୁ ଠକିଥିଲେ। ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ସେ ଥରେ ଏକ ଇମେଲ ପଠାଇଥିଲେ ଯେ ସେ ବିମାନକୁ ଗୁଳି କରି ଖସାଇ ଦେଇଛନ୍ତି। ଏପରି ମିଥ୍ୟା ଇମେଲ ପୋଲିସ, ଗୁଇନ୍ଦା ସଂସ୍ଥା ଏବଂ ଦେଶର ହଜାର ହଜାର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ବର୍ତ୍ତମାନ ତାଙ୍କୁ ଚେନ୍ନାଇରୁ ଗିରଫ କରାଯାଇଛି ଏବଂ ତାଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ପୋଲିସ ଅଧିକାରୀଙ୍କ ଅନୁଯାୟୀ, ରେନେ ଜଣେ ପୁରୁଷଙ୍କୁ ଏକତରଫା ପ୍ରେମ କରୁଥିଲେ। ମାତ୍ର ପୁରୁଷ ଜଣ ଗତ ଫେବ୍ରୁଆରିରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପରେ ପ୍ରତିଶୋଧ ପରାୟଣା ହୋଇଗଲେ। ଅଭିଯୁକ୍ତା ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ତାଙ୍କୁ ଫସାଇବା ବିଷୟରେ ଚିନ୍ତା କଲେ। ତା’ପରେ ତାଙ୍କ ନାମରେ ମେଲ୍ ଖୋଲି ବିଭିନ୍ନ ସ୍ଥାନକୁ ବୋମା ଧମକ ପଠାଇଲେ।
ପୋଲିସ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ସେ ଦିଲ୍ଲୀ, ପଞ୍ଜାବ, ବିହାର, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, କର୍ନାଟକ, କେରଳ, ତେଲଙ୍ଗାନା, ମଧ୍ୟ ପ୍ରଦେଶ, ଗୁଜରାଟ ଏବଂ ହରିୟାଣାରେ ବିଭିନ୍ନ ନକଲି ଇମେଲ ଆଇଡି ତିଆରି କରିଥିଲେ ଏବଂ ମିଥ୍ୟା ବୋମା ଧମକ ପଠାଇଥିଲେ।
Powered by Froala Editor