ଝିଅର ନିଟ୍ ପରୀକ୍ଷାରେ ମାର୍କ କମ୍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ବାପା

ନୂଆଦିଲ୍ଲୀ: ବାପା, ତୁମେ କେଉଁ କଲେକ୍ଟର ହୋଇଯାଇଥିଲ କି? ତୁମେ ମଧ୍ୟ କମ୍ ନମ୍ବର ପାଇଥିଲ । ଏହି ପ୍ରଶ୍ନ ୧୭ବର୍ଷୀୟ ଜଣେ ଝିଅ ତା’ର ବାପାଙ୍କୁ ପଚାରିଥିଲା, କିନ୍ତୁ ଉତ୍ତରରେ ତାଙ୍କୁ ବାଡି ଆକାରରେ ମିଳିଥିଲା । କେବଳ ସେତିକି ନୁହେଁ, ବାପାର ମାଡ ଏତେ ଭୟଙ୍କର ଥିଲା ଯେ ସାଧନାଙ୍କ ଜୀବନ ଚାଲିଯାଇଥିଲା । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ମହାରାଷ୍ଟ୍ରର ସାଙ୍ଗଲି ଜିଲାର ନେଲକରଞ୍ଜି ଗାଁରେ ଘଟିଛି । ମୃତକ ଆଟପଡିର ଏକ ସ୍କୁଲରେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଥିଲେ, ଏବଂ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ । କିନ୍ତୁ ତାଙ୍କ ବାପା ଧାଣ୍ଡିରାମ ଭୋସଲେ, ଯିଏକି ଜଣେ ପ୍ରଧାନଶିକ୍ଷକ ଅଛନ୍ତି । ନିଟ୍ ପରୀକ୍ଷାରେ ଝିଅ କମ୍ ନମ୍ବର ପାଇବା ପରେ ବହୁତ ରାଗି ଯାଇଥିଲେ ପ୍ରଧାନଶିକ୍ଷକ ବାପା ।
ସୂଚନା ଅନୁଯାୟୀ ଝିଅର ନିଟ୍ ପରୀକ୍ଷାରେ କମ୍ ମାର୍କ ଥିବାରୁ ଝିଅକୁ କାଠ ବାଡିରେ ଅତି ନୃସଂଶ ଭାବେ ପିଟିବାରେ ଲାଗିଥିଲେ । ଝିଅର ଅବସ୍ଥା ଗୁରୁତର ହେବା ସତ୍ୱେ ବାପା ତାଙ୍କୁ ଡାକ୍ତରଖାନା ନେଇ ନଥିଲେ । ପରଦିନ ସକାଳେ ପ୍ରଧାନଶିକ୍ଷକ ଥିବା ବାପା ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଳାଇଥିଲେ । ଯେତେବେଳେ ସେ ଘରକୁ ଫେରିଲେ ଝିଅ ଅଚେତ ଅବସ୍ଥାରେ ପଡିଥିବା ଦେଖି ତୁରନ୍ତ ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଝିଅ ପ୍ରତି ଜଣେ ବାପାଙ୍କର ଏଭଳି ଅମାନବୀୟ ଆଚରଣକୁ ନେଇ ଗାଁରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୁଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକ ବାପାଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
Powered by Froala Editor