ସରିଗଲା ଇଣ୍ଡିଗୋ ଇନ୍ଧନ, ବେଙ୍ଗାଲୁରୁର ଜରୁରୀ ଅବତରଣ

ଏୟାର ଇଣ୍ଡିଆ ପରେ ଇଣ୍ଡିଗୋ ବିମାନ ଦୁର୍ଘଟଣା ହେଉ ହେଉ ବର୍ତ୍ତି ଯାଇଛି। ଗୁଆହାଟୀରୁ ଚେନ୍ନାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (ଫ୍ଲାଇଟ ନମ୍ବର 6E-6764)ର ହଠାତ୍ ଅଧା ଆକାଶରେ ଇନ୍ଧନ ସରିଯାଇଥିଲା। ଯାହାପରେ ବିମାନଟିକୁ ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।
ବିମାନର ଇନ୍ଧନ ଅଭାବ ଥିବା ଜାଣି ହଠାତ୍ ପାଇଲଟ୍ 'ଇନ୍ଧନ ମେଡେ' ଘୋଷଣା କରିଥିଲେ । ଏହି ବିମାନରେ ପ୍ରାୟ ୧୬୮ ଜଣ ଯାତ୍ରୀ ଥିଲେ। ପରେ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନର ଗତିପଥ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରାଯାଇଥିଲା । ଗତ ଗୁରୁବାର ଦିନ ବିମାନବନ୍ଦରରେ ଭିଡ଼ ଯୋଗୁଁ ପାଇଲଟଙ୍କୁ ଚେନ୍ନାଇରେ ଅବତରଣ ପାଇଁ ଅନୁମତି ନ ମିଳିବାରୁ ଏହି ଘଟଣା ଘଟିଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ବିମାନଟି ଗୁଆହାଟୀରୁ ସଂଧ୍ୟା ୪:୪୦ରେ ଉଡ଼ାଣ କରି ଚେନ୍ନାଇରେ ରାତି ୭:୪୫ ସମୟରେ ଅବତରଣ କରିବାର ଥିଲା। କିନ୍ତୁ ଚେନ୍ନାଇ ବିମାନବନ୍ଦରରେ ଅବତରଣ ପୂର୍ବରୁ ଏକ ଅସ୍ଥିର ପହଞ୍ଚ (unstabilised approach) ଯୋଗୁଁ ପାଇଲଟ ଲ୍ୟାଣ୍ଡିଂ ପରିତ୍ୟାଗ କରି ‘ଗୋ ଆରାଉଣ୍ଡ’ ନିଷ୍ପତ୍ତି ନେଇଥିଲେ। ଏହା ପରେ ବିମାନରେ ଆବଶ୍ୟକ ମାତ୍ରାରୁ କମ ଇନ୍ଧନ ଥିବା ଜଣାପଡ଼ିଥିଲା। ବେଙ୍ଗାଲୁରୁ ବିମାନବନ୍ଦରଠାରୁ ପ୍ରାୟ ୩୫ ମାଇଲ ଦୂରରେ ଥାଇ ପାଇଲଟ ମେଡେ କଲ ଜାରି କରିଥିଲେ।
ଇଣ୍ଡିଗୋ ହେଉ କି ଏୟାର ଇଣ୍ଡିଆ- ଗୋଟେ ପ୍ରକାର କହିବାକୁ ଗଲେ ବିମାନ ସେବାର ବେଳା ଖରାପ ଚାଲିଛି । କାରଣ କେତେବେଳେ ଦୁର୍ଘଟଣା ତ କେତେବେଳେ ବୋମା ଧମକ ତ ଆଉ କେତେବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନର ଜରୁରୀ ଅବତରଣ ହେଉଛି ।
Powered by Froala Editor