୧୨୯୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ରେଳ ଅଡିଟୋରିୟମରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୮୨୬, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୭୮ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।
ଯୁବଶକ୍ତିଙ୍କୁ ନିଯୁକ୍ତି ଦେବା ଓ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ରାଜ୍ୟସରକାରଙ୍କ ମୁଖ୍ୟ ଆଭିମୁଖ୍ୟ ରହିଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଆ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ୭ ଟି ପ୍ରମୁଖ ବିଭାଗକୁ ନେଇ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା।
ଭୁବନେଶ୍ୱର ରେଳ ଅଡିଟୋରିଅମଠାରେ ଆୟୋଜିତ ହୋଇଥିବା ନିଯୁକ୍ତି ମେଳାରେ ଓଡିଶା ସରକାରଙ୍କ ପ୍ରମୁଖ ୭ଟି ବିଭାଗ ଯଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ,ବାଣିଜ୍ୟ ଓ ପରିବହନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଅବକାରୀ ବିଭାଗ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ସର୍ବମୋଟ ୧୨ ଶହ ୯୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।
ଏହି ନିଯୁକ୍ତି ପର୍ବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ୯ଟି ନିଯୁକ୍ତି ମେଳାର ଆୟୋଜନ କରି ଚଳିତ ବର୍ଷ ୨୭ ହଜାର ୪୨୮ ଜଣଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ କରିଛୁ। ସରକାରକୁ ଆସିବା ପରେ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବୁ । ପ୍ରାୟ ୧ଲକ୍ଷ ୫୦ ହଜାରରୁ ଏହି ୨ ବର୍ଷରେ ୬୫ ହଜାର ସରକାରୀ ଚାକିରି ନିଯୁକ୍ତି ପ୍ରଦାନ କରିବୁ। ଯୁବଶକ୍ତିକୁ ନିଯୁକ୍ତି ପ୍ରକ୍ରିୟା ଏମିତି ଆଗେଇ ଚାଲିବ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଆଜି ମୋଟ ୮୨୬ ଜଣଙ୍କୁ ସ୍ନାତକୋତ୍ତର ଶିକ୍ଷକ ବା ପିଜିଟିଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ମୋଟ ୨୨୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏଥିରେ ୧୨ ଜଣ ସହକାରୀ ପ୍ରଧ୍ୟାପକ, ୪୬ ଡ୍ରଗ ଇନ୍ସିପେକ୍ଟର, ୫ ଜଣ ଆୟୁର୍ବେଦ ସ୍ୱାସ୍ଥ୍ୟ ଅଧିକାରୀ ,୧୧୧ ଜଣ ନର୍ସିଂ ଅଫିସର,୩୨ ଜଣ ବରିଷ୍ଠ ପ୍ରୟୋଗଶାଳା ସହାୟକ, ୬ ଜଣ କ୍ଲିନିକାଲ ମନୋ ବିଜ୍ଞାନୀ, ୧୨ ଜଣ ମନସ୍ତତ୍ୱ ସାମାଜିକ କର୍ମୀ ରହିଛନ୍ତି। ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ୮୧ ଜଣ ଅଧ୍ୟାପକ ଷ୍ଟେଜ ୧ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ମୋଟ ୬୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଯେଉଁଥିରେ ୪୦ ଜଣ ମୋଟରଯାନ କନିଷ୍ଠ ଇନ୍ସପେକ୍ଟର ଓ ୨୩ ଜଣ ଟ୍ରାଫିକ କନେଷ୍ଟବଳ ନବ ନିଯୁକ୍ତି ପାଇଛନ୍ତି।
Powered by Froala Editor