ତିସ୍ତା ନଦୀରୁ ଉଦ୍ଧାର ହେଲା ନିଖୋଜ ଓଡିଆ ମହିଳାଙ୍କ ମୋବାଇଲ୍ ଫୋନ୍

ଭୁବନେଶ୍ଵର: ସିକ୍କିମର ତିସ୍ତା ନଦୀରେ ନିଖୋଜ ଓଡିଆ ମହିଳା ତଥା ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସହ ଅନ୍ୟ ନିଖୋଜ ବ୍ୟକ୍ତିମାନଙ୍କର ମୋବାଇଲ୍ ଫୋନ୍କୁ ତିସ୍ତା ନଦୀରୁ ଉଦ୍ଧାର କରାଯାଇଛି । ତଲାସୀ ଅଭିଯାନ ଚଳାଇଥିବା ଇଦ୍ଧାରକାରୀ ଦଳ ୬ଟି ମୋବାଇଲ୍ ଫୋନ୍ ସହ ଏହି ପର୍ଯ୍ୟଟକମାନଙ୍କର ବ୍ୟାଗକୁ ନଦୀରୁ ଉଦ୍ଧାର କରିଛନ୍ତି । ନିଖୋଜ ଥିବା ପର୍ଯ୍ୟଟକମାନଙ୍କର କୌଣସି ଖୋଜ ଖବର ମିଳି ନାହିଁ । ଉତ୍ତର ସିକ୍କିମର ମୁନସ୍ତିଙ୍ଗ ନିକଟରେ ସେମାନଙ୍କର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୦୦୦ ଫୁଟ୍ ତଳକୁ ଖସି ପଡିଥିଲା । ଏହା ତିସ୍ତା ନଦୀ ଗର୍ଭକୁ ଖସିଥିଲା । ଇତିଶ୍ରୀଙ୍କ ପୁଅ ଓ ପୁତରାଙ୍କୁ ଉଦ୍ଧାର କରାଯାଇଥିଲା ।
ଯାଜପୁର ରୋଡ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ପରିବାର ସହ ସିକ୍କିମ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶୀକାର ହୋଇ ନିଖୋଜ ଅଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଓଡ଼ିଶାର ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଯିବାକୁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଇତିଶ୍ରୀଙ୍କ ସମେତ ୮ ଜଣ ନିଖୋଜ ଅଛନ୍ତି ।
Powered by Froala Editor