ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଲୋକସେବା ଭବନରେ ସମୀକ୍ଷା କରିଛନ୍ତି। ବୈଠକରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ ଗିରୀଶ ଏସ୍. ଏନ୍, ପାନୀୟ ଜଳ ଓ ପରିମଳ ନିର୍ଦେଶକ ବିନୀତ ଭରଦ୍ୱାଜଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ବିଭାଗ ତଥା ଜିଲାପାଳ ପାନୀୟ ଜଳ ଯୋଗାଣ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକୁ ନିଷ୍ଠାର ସହ ନିର୍ବାହ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି।
ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଭୂତଳ ଜଳଭିତ୍ତିକ ବୋର୍କୂପ, ଓଭରହେଡ୍ ଟାଙ୍କି, ଆବଣ୍ଟିତ ପାଇପଲାଇନ୍,କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ ସଂଯୋଗ ଜରିଆରେ ଏକକ ଗାଁ ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏଥିରେ ଅଦ୍ୟାବଧି ୧୮,୬୭୭ଟି ପ୍ରକଳ୍ପ ସଂସ୍ଥାପିତ ହୋଇଥିବାବେଳେ ୧୨୮୯ଟି ନିର୍ମାଣାଧୀନ ରହିଛି। ୧୬ଟି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ ଶେଷ ହୋଇଥିବାବେଳେ ୧୯୧ଟି ନିର୍ମାଣଧୀନ ରହିଛି। ୪୮୫୫ଟି ସୋଲାର ପ୍ରକଳ୍ପ ସରିଥିବାବେଳେ ୩୬୫୨ଟି କାର୍ଯ୍ୟାନ୍ୱୟନ ସ୍ଥିତିରେ ରହିଛି। ଜୁନ୍ ୨୦୨୫ ସୁଦ୍ଧା ୨୩୮ଟି ଏବଂ ଅକ୍ଟୋବର ସୁଦ୍ଧା ୭୫୨ଟି ଏକକ ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଆଗାମୀ ସେପ୍ଟେମ୍ବର ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ଥିବା ସମସ୍ତ ୩୬୫୨ ଗ୍ରାମକୁ ସୌରଶକ୍ତି ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲକ୍ଷ୍ୟ ରଖାଯାଇଛି। ନିର୍ମାଣଧୀନ ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପ ପର୍ଯ୍ୟାୟକ୍ରମେ ମାର୍ଚ୍ଚ ୨୦୨୭ ସୁଦ୍ଧା ସରିବ।
Powered by Froala Editor