ଖୁବ୍ ଶୀଘ୍ର ନୟାଗଡ଼ରୁ ବୌଦ୍ଧକୁ କରିବ ରେଳ ଚଳାଚଳ

ବୌଦ୍ଧ : ବିଜେପି ସରକାରଙ୍କ ବିକାଶର ଯାତ୍ରାରେ ବୌଦ୍ଧ ଉଲ୍ଲେଖନୀୟ ସମୃଦ୍ଧି ହାସଲ କରିବ। ସବୁ କ୍ଷେତ୍ରରେ ସାମଗ୍ରିକ ଉଦ୍ୟମ ହେଲେ ବୌଦ୍ଧ ବିକାଶର ଶିଖର ଛୁଇଁବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଠାକୁ ଦିନିକିଆ ଗସ୍ତରେ ଆସି କହିଛନ୍ତି। ଜିଲାପାଳ କାର୍ଯ୍ୟାଳୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଜଳସେଚନ, ରାସ୍ତା ସଂଯୋଗୀକରଣ, ରେଳପ୍ରକଳ୍ପ, କ୍ରୀଡ଼ା, କୃଷି, ପ୍ରଧାନମନ୍ତ୍ରୀ ଆବାସ ଆଦି ଜନକଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
ବୌଦ୍ଧ ଜିଲାର ବିକାଶ ପ୍ରତି ବିଜେପି ସରକାରଙ୍କ ପ୍ରତିବଦ୍ଧତା ଜାହିର କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଜିଲାରେ ବିକାଶର ଅନେକ ସମ୍ଭାବନା ଅଛି। ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରହିଲେ ସରକାରୀ ପ୍ରକଳ୍ପ ଧାର୍ଯ୍ୟ ଲକ୍ଷ୍ୟ ସହଜରେ ପୂରଣ ହୋଇପାରିବ। ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ କେତେକ ଉଦ୍ୟୋଗୀ ଆଗ୍ରହ ପ୍ରକାଶ କରିଛନ୍ତି। ବୌଦ୍ଧ ଜିଲାରେ ମହାନଦୀ ଓ ତେଲ୍ ଆଦି ଚିରସ୍ରୋତା ନଦୀ ପ୍ରବାହିତ ହେଉଥିବାରୁ ଜଳସେଚନର ଭରପୂର ସମ୍ଭାବନା ଅଛି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଅନେକ ସମ୍ଭାବନା ଅଛି। ସବୁ କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ଉଦ୍ୟମ ହେଲେ ବୌଦ୍ଧ ରାଜ୍ୟର ଏକ ନମ୍ବର ଜିଲାରେ ପରିଣତ ହୋଇପାରିବ। ଏ ଦିଗରେ ରାଜ୍ୟ ସରକାର ଗୁରୁତ୍ବର ସହ ଚିନ୍ତା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସମୀକ୍ଷାରୁ ଜଣାଯାଇଛି ଯେ,ବୌଦ୍ଧ ଜିଲାବାସୀଙ୍କୁ ଉନ୍ନତ ଗମନାଗମନ ସୁବିଧା ଉପଲବ୍ଧ କରିବା ପାଇଁ ପ୍ରାୟ ୨୮ କୋଟି ଟଙ୍କା ମୂଲ୍ୟର ସଡ଼କ ପ୍ରକଳ୍ପ ପାଇଁ ନିକଟରେ ଶିଳାନ୍ୟାସ କରାଯାଇଛି। ଖୁବ୍ ଶୀଘ୍ର ବୌଦ୍ଧରେ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ନୂଆ ବସ୍ଷ୍ଟାଣ୍ଡ ଏବଂ ରେଳଷ୍ଟେସନ କାର୍ଯ୍ୟ ପ୍ରାୟତଃ ସଂପୂର୍ଣ୍ଣ ହୋଇଛି। ଖୁବ୍ ଶୀଘ୍ର ନୟାଗଡ଼ରୁ ବୌଦ୍ଧକୁ ରେଳ ଚଳାଚଳ କରିବ। ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ ଉଦ୍ଘାଟନ ହେବା ପାଇଁ ଯାଉଛି ବୋଲି ବୈଠକର ଆଲୋଚନାରୁ ଜଣାଯାଇଛି। ଜିଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିଭାଗୀୟ କାର୍ଯ୍ୟ ଗୁଡ଼ିକ ସମ୍ବନ୍ଧରେ ଜିଲାପାଳ ଓ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ତଥ୍ୟ ନେବା ସହିତ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ପ୍ରଶ୍ନ କରିଥିଲେ ଏବଂ ଯେଉଁ କାର୍ଯ୍ୟ ଗୁଡ଼ିକ ମନ୍ଥର ଗତିରେ କାର୍ଯ୍ୟକାରୀ ହେଉଛି ତାହାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ମହିଳା ସଶକ୍ତୀକରଣ, କୃଷି ସମେତ ଶିଳ୍ପ ସମ୍ବନ୍ଧରେ ବିଶଦ ଭାବେ ଜିଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇଥିଲେ। ବୌଦ୍ଧ ଜିଲାରେ ଏହି ସବୁ କାର୍ଯ୍ୟର ଉପଯୁକ୍ତ କାର୍ଯ୍ୟାନ୍ୱୟନ ଏବଂ ଏହାର କାର୍ଯ୍ୟକାରୀ ହାର ଦେଖି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଏହାର ଆହୁରି ପ୍ରଗତି ପାଇଁ ନିର୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବୌଦ୍ଧ ଜିଲାରେ ଅନେକ ବିକାଶମୂଳକ ପ୍ରକଳ୍ପ ଯଥା ରାସ୍ତା ଓ ପୋଲ ନିର୍ମାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଏହାସହିତ ଜନ ଶୁଣାଣି, ଭତ୍ତା ବଣ୍ଟନ, ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀଙ୍କ ପରିଦର୍ଶନ, ମଧ୍ୟାହ୍ନ ଭୋଜନ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଯୋଜନା, ମିଶନ ଶକ୍ତି ଇତ୍ୟାଦିରେ ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଉଛି। ଏହି କାର୍ଯ୍ୟଗୁଡ଼ିକ ଜନସାଧାରଣଙ୍କ ଜୀବନଧାରାକୁ ଉନ୍ନତ କରୁଛି। କିଛି ପ୍ରକଳ୍ପରେ ବିଳମ୍ବ ହେଉଥିବା ଜଣାପଡୁଛି। ସମସ୍ତ ପ୍ରକଳ୍ପ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହେବା ଆବଶ୍ୟକ। ସେହିପରି କାର୍ଯ୍ୟର ଗୁଣବତ୍ତା ସହ କୌଣସି ସାଲିସ କରାଯିବ ନାହିଁ। ଗୁଣବତ୍ତା ଯାଞ୍ଚ ପାଇଁ ନିୟମିତ ନିରୀକ୍ଷଣ ବ୍ୟବସ୍ଥା କଡ଼ାକଡ଼ି କରାଯାଉ। ବିକାଶ କାର୍ଯ୍ୟ ସଫଳ ହେବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହଭାଗିତା ଅତ୍ୟନ୍ତ ଜରୁରୀ। ପ୍ରକଳ୍ପ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଯାଉ ଏବଂ ସେମାନଙ୍କ ମତାମତକୁ ଗ୍ରହଣ କରାଯାଉ। ଏହାଦ୍ୱାରା ପ୍ରକଳ୍ପଗୁଡ଼ିକ ଅଧିକ ସ୍ୱଚ୍ଛ ଓ ଲୋକାଭିମୁଖୀ ହେବ ବୋଲି ସେ କହିଥିଲେ।
ସମୀକ୍ଷା ବୈଠକ କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବିଧାୟକ, ବୌଦ୍ଧ ତଥା ସରକାରୀ ଦଳ ମୁଖ୍ୟ ସଚେତକ, ସରୋଜ କୁମାର ପ୍ରଧାନ, ବିଧାୟକ, କଣ୍ଟାମାଳ, କହ୍ନାଇ ଚରଣ ଡାଙ୍ଗ, ଆରକ୍ଷୀ ମହାନିରୀକ୍ଷକ, ନୀତି ଶେଖର, ଜିଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ, ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପ୍ରଧାନ, ସିଡିଓ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲାପାଳ ପ୍ରବୀଣ କୁମାର ବାଣୁଆଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଓ ପ୍ରଶାସନିକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଅପରାହ୍ନରେ ହରଭଙ୍ଗା ବ୍ଲକର ସରସରାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆତଙ୍କବାଦୀ ଦମନରେ ସେନାର ପରାକ୍ରମ ପାଇଁ ଦେଶ ଗର୍ବିତ। ପହଲଗାଓଁରେ ନିର୍ଦୋଷ ହିନ୍ଦୁଙ୍କୁ ଆତଙ୍କବାଦୀଙ୍କ ହତ୍ୟାର ପ୍ରତିଶୋଧ ନେବା ରେ ଭାରତ ସଫଳ ହେବା ସହ ପାକିସ୍ତାନକୁ ଉପଯୁକ୍ତ ଶିକ୍ଷା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଭାରତ ଆଜି ପ୍ରତିରକ୍ଷା କ୍ଷେତ୍ରରେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
Powered by Froala Editor