ଆଜି ପ୍ରବଳ ବର୍ଷା: ୫ ଜିଲାକୁ ଅରେଞ୍ଜ ଆଲର୍ଟ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨ ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ପ୍ରବଳ ବର୍ଷା ନେଇ ୫ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଗଜପତି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଏସବୁ ଜିଲାରେ କୁଆପଥର ମାଡ଼ ସହ କାଳବୈଶାଖୀ ନେଇ ଚେତାବନୀ ଦିଆଯାଇଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ପବନ ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଏବଂ ଗଜପତି ଜିଲାକୁ କାଳବୈଶାଖୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲାଗୁଡ଼ିକ ମଧ୍ୟରୁ କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇପାରେ। ଘଣ୍ଟାପ୍ରତି ୫୦ରୁ ୬୦କି.ମି ବେଗରେ ପବନ ବହିପାରେ।
ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଉପରୋକ୍ତ ଜିଲାଗୁଡ଼ିକ ମଧ୍ୟରୁ କିଛି ଅଞ୍ଚଳରେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦କି.ମି ବେଗରେ ପବନ ବହିପାରେ। ବୌଦ୍ଧ, କନ୍ଧମାଳ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
ଶନିବାର ରାତିରେ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ଦ୍ବାରା ରବିବାର ସମସ୍ତ ଅଞ୍ଚଳରେ ପାରଦ ୪୦ ଡିଗ୍ରୀ ତଳକୁ ଖସି ଆସିଛି। କାଳବୈଶାଖୀ ଜନିତ ଝଡ଼ବର୍ଷା ସର୍ବାଧିକ ତାପମାତ୍ରା କମାଇବାରେ ସହାୟକ ହୋଇଛି। ଦେବଗଡ଼ରେ ସର୍ବାଧିକ ୫୧.୨ ମି.ମି ବର୍ଷା ହୋଇଥିବା ବେଳେ ସୁବର୍ଣ୍ଣପୁର ୫୧, ଭୁବନେଶ୍ବର ୨୦.୮, କଟକ ୧୯.୬, ଅନୁଗୋଳ ୨୬, ବୌଦ୍ଧ ୨୮.୬, ଢେଙ୍କାନାଳ ୩୪.୪ ଏବଂ ନୂଆପଡ଼ାରେ ୩୦ ମି.ମି ବର୍ଷା ହୋଇଛି।
ବଲାଙ୍ଗିରରେ ଦିନ ତାପମାତ୍ରା ୩୮.୧ ଡିଗ୍ରୀ ଥିବାବେଳେ ଭୁବନେଶ୍ବର ୩୪.୨ ଡିଗ୍ରୀ ରହିଛି। ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ସମ୍ଭାବନା ଥିବାବେଳେ ପରବର୍ତ୍ତୀ ୪ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ଏହି ସ୍ଥିତି ରହିବ। ଏହାର ୨ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ।
Powered by Froala Editor