କାରଖାନାରେ ଭୟଙ୍କର ନିଆଁ : ଉପର ମହଲାରୁ ଡେଇଁଲେ କର୍ମଚାରୀ, ୫୨ ମୃତ

ବାଂଲାଦେଶର ଏକ ଜୁସ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ୫୨ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୫୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ବାଂଲାଦେଶର ଢାକାରେ ଥିବା ସେଜନ ଜୁସ ଫ୍ୟାକ୍ଟ୍ରିରେ ଗୁରୁବାର ଅପରାହ୍ନ ପ୍ରାୟ ୫ଟାବେଳେ ନିଆଁ ଲାଗିଯାଇଥିଲା । ଚାଁହୁଚାଁହୁ ଏହି ନିଆଁ ଉପର ମହଲାକୁ ବ୍ୟାପି ଯାଇଥିଲା । ଆଉ ଜୁସ ପ୍ରସ୍ତୁତ କରୁଥିବା କର୍ମଚାରୀମାନେ କିଛି ବୁଝିବା ଆଗରୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ନିଆଁରେ ୫୨ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୫୦ରୁ ଅଧିକ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।
କୁହାଯାଉଛି ଯେ, ପ୍ରଥମେ ନିଆଁ ତଳମହଲାରେ ଲାଗିଥିଲା । ତଳମହଲାରେ ରାସାୟନିକ ପଦାର୍ଥ ଏବଂ ପ୍ଲାଷ୍ଟିକ ବୋତଲ ଥିବାରୁ ଅଗ୍ନିକାଣ୍ଡ କୋଠାର ତଳ ମହଲାରୁ ଉପରକୁ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଅନେକ କର୍ମଚାରୀ ନିଜ ଜୀବନ ବଞ୍ଚାଇବା ପାଇଁ ଉପର ମହଲାରୁ କୁଦି ପଡିଥିଲେ। ଅନେକ ଲୋକ ନିଆଁ ଭିତରେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ହେଲେ ମୃତ୍ୟୁ ହୋଇଥିବାର କୌଣସି ପ୍ରମଣା ମିଳିନି। କାରଖାନା ଭିତରେ ଅନେକ କର୍ମଚାରୀ ଫସି ରହିଥିବା ଜଣାପଡ଼ିଛି। କିନ୍ତୁ ନିଆଁ ଲାଗିବା ବେଳେ କାରଖାନାରେ କେତେ ଜଣ କର୍ମଚାରୀ କାମ କରୁଥିଲେ ସେ ନେଇ ସୂଚନା ମିଳିନପାରିନଥିବା ଜଣାପଡ଼ିଛି।
ଅଗ୍ନିଶମ ସେବା ଅଧିକାରୀ ଦେବଶିଷ ବର୍ଦ୍ଧନ କହିଛନ୍ତି, ନିଆଁ ଲିଭିବା ପରେ ଭିତରେ ସର୍ଚ୍ଚ ଓ ଉଦ୍ଧାର କାମ ହେବ। ଅଗ୍ନିକାଣ୍ଡରୁ ଉଦ୍ଧାର ପାଇଥିବା କର୍ମଚାରୀ ମହମ୍ମଦ ସାଇଫୁଲ କହିଛନ୍ତି ଯେ, ସେ ଉପର ମହଲାରେ କାମ କରୁଥିଲେ। ହଠାତ୍ ଆଉ ଜଣେ କର୍ମଚାରୀ କହିଲେ ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗି ଯାଇଛି। କଳାଧୂଆଁ ପାଇଁ କିଛି ଦେଖା ଯାଉନି। ଏହାପରେ ସେମାନେ ତୃତୀୟ ମହଲାର ଛାତ ଉପରକୁ ଉଠି ପଳାଇଥିଲେ। ପରେ ସେ କୈଶଳ କ୍ରମେ ଖସି ଆସିଛନ୍ତି।
Powered by Froala Editor