ବୋଲେରୋରେ ପିଟି ହୋଇ ବାଇକ ଚାଳକ ମୃତ
ପାଟଣା: ଜିଲ୍ଲା ଯୋଗାଣ ବିଭାଗ ବୋଲେରୋରେ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ଆଜି ସାହାରପଡ଼ା ବ୍ଲକରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରକୁ ଜିଲ୍ଲା ଯୋଗାଣ ବିଭାଗର ବୋଲେରୋଟି କେନ୍ଦୁଝରରୁ ଉଦୟପୁର ହୋଇ ସାହାରପଡ଼ା ଆସୁଥିବା ସମୟରେ ଚାତରପାଣି ନିକଟ ବରବେଡ଼ାଠାରେ ସାମ୍ନାରୁ ଏକ ବାଇକ ଦ୍ରୁତ ଗତିରେ ଆସି ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତ ଯୁବକ ଜଣକ ଶୁକ୍ରୁଳି ବ୍ଲକ ଅଞ୍ଚଳ ଚଢ଼େଇଭୋଳ ନିକଟ ଘାଗି ଗ୍ରାମର ବିରଞ୍ଚି ବେହେରାଙ୍କ ପୁଅ ରାଜେନ୍ଦ୍ର ବେହେରା (୩୫) ବୋଲି ଜଣାପଡିଛି। ରାଜେନ୍ଦ୍ର ସାହାରପଡ଼ାରେ ରହି କଂକ୍ରିଟ କାମ କରୁଥିବା ବେଳେ ଆଜି ସକାଳୁ ପଇସାପତ୍ର ନେଇ ବାଇକ ଯୋଗେ ଗ୍ରାମକୁ ଫେରୁଥିଲେ। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାହାରପଡ଼ା ଫାଣ୍ଡି ଅଧିକାରୀ ପାର୍ତ୍ତୋ ଓରାମ ଘଟଣାର ତଦନ୍ତ କରିଛନ୍ତି। ଆଜି ସକାଳ ୭ଟା ପରେ ଏହି ଦୁର୍ଘଟଣା ଘଟିଛି।
Powered by Froala Editor