କ୍ୟାବିନେଟ୍ ରେ ୬ଟି ପ୍ରସ୍ତାବ ଉପରେ ମୋହର
ଲୋକ ସେବା ଭବନରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବୁଧବାର ଓଡ଼ିଶା କ୍ୟାବିନେଟ୍ ୬ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମନ୍ତ୍ରୀ ପରିଷଦ ଏବଂ ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ୍ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମୋଟ୍ ୫ଟି ବିଭାଗର ୬ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବକୁ ଆଲୋଚନା ପରେ ଅନୁମୋଦନ କରାଯାଇଛି।
ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ବିବରଣୀ ଖୁବ୍ ଶୀଘ୍ର ସରକାର ପ୍ରଦାନ କରିବେ। ବୈଠକରେ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଉପରେ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପିତ ହୋଇଥିବା ଜଣାପଡ଼ିଛି।
ଅନୁସୂଚିତ ଜାତି ଓ ଜନଜାତି କ୍ୟାଡର ପୁନଃଗଠନ ହେବ। ଏଥିସହିତ ୨୪ ନୂଆ ପଦବୀ ସୃଷ୍ଟି କରାଯିବାକୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି। ଅବକାରୀ କନଷ୍ଟେବଳ ଡିଭିଜନ ବଦଳାଯାଇ ଜିଲା କ୍ୟାଡର କରାଯାଇଛି। ୧୦୮ କୋଟି ଟଙ୍କା ବ୍ୟୟ ବରାଦରେ ବୈତରଣୀ ବାମ ଓ ଡାହାଣ କେନାଲ କାର୍ଯ୍ୟ ହେବ। ଏଥିସହିତ ଭଦ୍ରକ, ବାଲେଶ୍ବର, କେନ୍ଦୁଝରର ୬୦ ହଜାର ହେକ୍ଟର ଜମି ଜଳସେଚିତ ହେବ। ଆଗାମୀ ୫ ବର୍ଷ ପାଇଁ ୧୦୮ ସେବା ପାଇଁ ୨୩୯୮ କୋଟି ଟଙ୍କା ମଞ୍ଜୁରୀ କରାଯାଇଛି।
ଏଣିକି ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ରଖାଯାଇଛି। ପୂର୍ବରୁ ଅଙ୍ଗନବାଡ଼ି ସୁପରଭାଇଜରଙ୍କ ପାଇଁ ଯୋଗ୍ୟତା ମାଟ୍ରିକ ଥିଲା। ଅବକାରୀ ବିଭାଗ ନିୟମ ୨୦୧୭ ମଧ୍ୟ ସଂଶୋଧନ କରିଛନ୍ତି ସରକାର।
Powered by Froala Editor