ସଲମାନ ଖାନଙ୍କୁ ପୁଣି ଥରେ ଧମକ, ଘରେ ପଶି ହତ୍ୟା କରିବୁ

ବଲିଉଡ୍ର ସୁପରଷ୍ଟାର୍ ସଲମାନ ଖାନଙ୍କୁ ପୁଣି ଥରେ ଧମକ ମିଳିଛି। କେବଳ ଏତିକି ନୁହେଁ, ତାଙ୍କ କାରକୁ ବୋମାରେ ଉଡ଼ାଇ ଦେବାକୁ ମଧ୍ୟ ଧମକ ମିଳିଛି। ମୁମ୍ବାଇର ଓ୍ବର୍ଲି ଟ୍ରାଫିକ ବିଭାଗର ହ୍ବାଟ୍ସଆପ୍ ନମ୍ବରକୁ ଏକ ଧମକ ପଠାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ଅଭିନେତାଙ୍କ ଘରେ ପ୍ରବେଶ କରି ତାଙ୍କୁ ହତ୍ୟା କରାଯିବ।
ଅଭିନେତାଙ୍କୁ ହତ୍ୟା ଧମକ ମିଳିବା ପରେ ପୋଲିସ ସତର୍କ ହୋଇଯାଇଛି। ଅଧିକାରୀମାନେ ବର୍ତ୍ତମାନ ଧମକର ଉତ୍ସ ଏବଂ ସତ୍ୟତା ଯାଞ୍ଚ କରୁଛନ୍ତି। ତଥାପି ଏହି ଧମକ ଲରେନ୍ସ ବିଷ୍ଣୋୟୀଙ୍କଠାରୁ ଆସିଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଗତବର୍ଷ ବି ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏପ୍ରିଲ ୧୪ରେ ଗାଲାକ୍ସି ଆପାର୍ଟମେଣ୍ଟରେ ଅଭିନେତାଙ୍କ ଘର ବାହାରେ ଗୁଳିଚାଳନା ହୋଇଥିଲା। ଦୁଇଜଣ ବାଇକ୍ ଆରୋହୀ ସକାଳୁ ସକାଳୁ ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିଲେ।
ଆପଣଙ୍କୁ କହି ରଖୁଛୁ ଯେ ଏହା ପ୍ରଥମ ଥର ନୁହେଁ ଯେ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଛି, ଅଭିନେତା ପୂର୍ବରୁ ମଧ୍ୟ ଅନେକ ଥର ସମାନ ଧମକ ପାଇସାରିଛନ୍ତି। ପ୍ରକୃତରେ, ଗତ କିଛି ବର୍ଷ ମଧ୍ୟରେ, ବଲିଉଡ ଅଭିନେତାଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଅନେକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଧମକ ମିଳିଛି। ବିଷ୍ଣୋଇ ସମ୍ପ୍ରଦାୟ ପାଇଁ କୃଷ୍ଣସାର ମୃଗ ଧାର୍ମିକ ଗୁରୁତ୍ୱ ବହନ କରୁଥିବାରୁ, ୧୯୯୮ ମସିହାର କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କ ସମ୍ପୃକ୍ତିକୁ ନେଇ ଏହି ଗ୍ୟାଙ୍ଗ ତାଙ୍କୁ ଟାର୍ଗେଟ କରୁଥିବା ଜଣାପଡ଼ିଛି।
Powered by Froala Editor