୧୦%କୁ ହ୍ରାସ ପାଇବ ଭାରତର ଅଭିବୃଦ୍ଧି

ନୂଆଦିଲ୍ଲୀ : ଚଳିତ ଆର୍ଥôକ ବର୍ଷରେ ଭାରତର ଅଭିବୃଦ୍ଧି ୧୦%କୁ ହ୍ରାସ ପାଇବ ବୋଲି ରେଟିଂ ଏଜେନ୍ସି ଫିଚ ଆକଳନ କରିଛି । ଦେଶର ଅଭିବୃଦ୍ଧି ୧୨.୫% ଭଳି ଉଚ୍ଚ ସ୍ତରରେ ରହିବ ବୋଲି ଏହି ସଂସ୍ଥା କିଛି ଦିନ ପୂର୍ବରୁ ପୂର୍ବାନୁମାନ ଲଗାଇଥିଲା । ମାତ୍ର କରୋନା ମହାମାରୀର ଦ୍ୱିତୀୟ ଲହର ଅର୍ଥନୈତିକ କାର୍ଯ୍ୟକଳାପକୁ ଗୁରୁତର ଭାବେ ପ୍ରଭାବିତ କରିବାରୁ ଏହା ନିଜର ପୂର୍ବାନୁମାନ ବଦଳାଇବାକୁ ବାଧ୍ୟ ହୋଇଛି । କେବଳ ଫିଚ ନୁହେଁ ପ୍ରାୟ ସବୁ ପ୍ରମୁଖ ଏଜେନ୍ସି ଓ ସଂସ୍ଥା ଭାରତର ଅଭିବୃଦ୍ଧି କମିବ ବୋଲି କହିଛନ୍ତି । ଫିଚ ଏହାର ରିପୋର୍ଟରେ ଜଣାଇଛି ଯେ ଅର୍ଥନୀତିରେ ଦ୍ରୁତ ସୁଧାର ଆଣିବାକୁ ହେଲେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ । ଏହା ଦ୍ୱାରା ଗ୍ରାହକଙ୍କ ମନରେ ବିଶ୍ୱାସ ସୃଷ୍ଟି ହେବ ଓ ବ୍ୟବସାୟରେ ସୁଧାର ହୋଇପାରିବ । ଏଥର ବିଭିନ୍ନ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯିବାରୁ ସ୍ଥିତି ୨୦୨୦ ଲକଡାଉନ୍ ଭଳି ହୋଇଯାଇଥିଲା । ସେଥିପାଇଁ ଅଭିବୃଦ୍ଧି କମ୍ ହେବ ବୋଲି ଏହା ଆଶଙ୍କା ପ୍ରକଟ କରିଛି । ଜୁଲାଇ ୫ ସୁଦ୍ଧା ଦେଶର ମାତ୍ର ୪.୭ ପ୍ରତିଶତ ଜନସଂଖ୍ୟାର ଟିକାକରଣ ହୋଇପାରିଛି । ଭାରତ ଭଳି ଏତେ ବଡ଼ ଦେଶର ଅର୍ଥନୈତିକ ସୁଧାର ପାଇଁ ଏହା ବଡ଼ ବିପଦ ବୋଲି ଫିଚ ଜଣାଇଛି । ୨୦୧୯-୨୦ରେ ୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ଭାରତର ଅଭିବୃଦ୍ଧି ୨୦୨୦-୨୧ରେ ୭.୩ ପ୍ରତିଶତ ହ୍ରାସ ପାଇଛି । ବ୍ୟାଙ୍କ ସମ୍ପର୍କରେ ଫିଚ କହିଛି ଯେ ସରକାର ଘୋଷଣା କରିଥିବା ପ୍ରୋତ୍ସାହନ ପ୍ୟାକେଜ୍ ପାଇଁ ବ୍ୟାଙ୍କଗୁଡ଼ିକର ଏନପିଏ ସ୍ଥିତି ଠିକ୍ ଭାବେ ପ୍ରତିଫଳିତ ହେଉନାହିଁ । ଯଦି ଅର୍ଥନୀତିରେ ସୁଧାର ନହେବ ତାହାର ପ୍ରଭାବ ବ୍ୟାଙ୍କଗୁଡ଼ିକ ଉପରେ ପଡ଼ିବ । ବ୍ୟବସାୟ ଓ ରାଜସ୍ୱ ବୃଦ୍ଧି ଲାଗି ସୀମିତ ସୁଯୋଗ ରହିଥିବାରୁ ବ୍ୟାଙ୍କଗୁଡ଼ିକ ପାଇଁ କାର୍ଯ୍ୟ କରିବାର ଏକ ଆହ୍ୱାନପୂର୍ଣ୍ଣ ସ୍ଥିତି ରହଛି । ଯଦି କୋଭିଡ ମହାମାରୀର ତୃତୀୟ ଲହର ଦେଖାଦେବ ତେବେ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି ।
Powered by Froala Editor