ସଂସଦରେ ‘ଛାବା’ ଦେଖିବେ ପ୍ରଧାନମନ୍ତ୍ରୀ
ଅଭିନେତା ବିକି କୌଶଳଙ୍କ ଅଭିନୀତ ‘ଛାବା’ ସୁପରହିଟ୍ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବରୁ ‘ଛାବା’କୁ ପ୍ରଶଂସା କରିଥିଲେ ଏବଂ ଏବେ ‘ଛାବା’ ସଂସଦରେ ପ୍ରଦର୍ଶିତ ହେବ। ଚଳିତ ସପ୍ତାହର ଗୁରୁବାର ଦିନ ହିଁ ଏହି ଚଳଚ୍ଚିତ୍ର ସଂସଦର ବାଲୟୋଗୀ ପ୍ରେକ୍ଷାଳୟରେ ସ୍ବତନ୍ତ୍ର ଭାବେ ସ୍କ୍ରିନିଂ କରାଯିବ। ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ରଟି ଆଧାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନେ ଚଳଚ୍ଚିତ୍ର ଦେଖିବେ। ଏହା ସହିତ ଚଳଚ୍ଚିତ୍ରର ସମସ୍ତ କଳାକାର ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
ସମ୍ଭାଜୀ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ବିକି କୌଶଳ, ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଏବଂ ପ୍ରଯୋଜକ ଦିନେଶ ବିଜନ ମଧ୍ୟ ସଂସଦ ଦ୍ୱାରା ଆୟୋଜିତ ‘ଛାବା’ର ସ୍ବତନ୍ତ୍ର ସ୍କ୍ରିନିଂରେ ଉପସ୍ଥିତ ରହିବେ।
ପ୍ରଧାନମନ୍ତ୍ରୀ ମୋଦି ୨୧ ଫେବୃଆରୀରେ ଦିଲ୍ଲୀରେ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ‘ଛାବା’ର ପ୍ରଶଂସା କରିଥିଲେ। ସେ କହିଥିଲେ-ମହାରାଷ୍ଟ୍ର ଏବଂ ମୁମ୍ବାଇ ମରାଠୀ ଚଳଚ୍ଚିତ୍ର ସହିତ ହିନ୍ଦୀ ସିନେମାକୁ ନୂଆ ଶିଖରରେ ପହଞ୍ଚାଇଛି।
ଛାବା’ ୧୪ ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ବିକି କୌଶଳଙ୍କ ଫିଲ୍ମ ରିଲିଜ ହେବାର ୪୦ ଦିନ ବିତିଗଲାଣି ଏବଂ ଏହି ସମୟ ମଧ୍ୟରେ ଫିଲ୍ମଟି ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିଛି। ଫିଲ୍ମଟି ଏବେ ୬୦୦ କୋଟି କ୍ଲବରେ ସାମିଲ ହୋଇଛି।
Powered by Froala Editor