ଇସ୍ତଫା ଦେଲେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବେ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂଧ୍ୟା ୬ଟାରେ ଶପଥ ଗ୍ରହଣ ସମାରୋହ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କିଛି ନୂଆ ମନ୍ତ୍ରୀ ସାମିଲ ହେବା ଓ କିଛି ମନ୍ତ୍ରୀ ବାଦ ପଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ପର୍ବ ଆରମ୍ଭ ହୋଇଯାଇଛି । ବହୁ ବରିଷ୍ଠ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।
ତେବେ ଓଡ଼ିଶା ପାଇଁ ସବୁଠାରୁ ବଡ଼ ଖବର ହେଉଛି ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଇସ୍ତଫା ଦେଇଛନ୍ତି । ସେ ବିଭିନ୍ନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ । ଶ୍ରୀ ଷଡ଼ଙ୍ଗୀ ମୋଦୀଙ୍କ ଦ୍ୱିତୀୟ ପାଳିରେ ମନ୍ତ୍ରୀ ହୋଇଥିଲେ । ଏମଏସଏମଇ ଓ ପଶୁ ସମ୍ପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ଓଡ଼ିଶାର ମୋଦୀଭାବେ ସେ ବେଶ ପରିଚିତ ଥିଲେ । ତାଙ୍କର ନିରାଡ଼ମ୍ବର ଜୀବନଶୈଳୀ ପାଇଁ ସେ ଘରେ ଘରେ ପରିଚିତ ଥିଲେ ।
ସେହିପରି କେନ୍ଦ୍ରମନ୍ତ୍ରିମଣ୍ଡଳରୁ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେହିପରି ସନ୍ତୋଷ ଗଙ୍ଗୱାର ଇସ୍ତଫା ଦେଇଥିବା ଜଣାଯାଇଛି । ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଇସ୍ତଫାନେଇ ଜାତୀୟ ଗଣମାଧ୍ୟମରୁ ଜଣାଯାଇଛି ।
ଏହାଛଡ଼ା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସଦାନନ୍ଦ ଗୌଡ଼ ମଧ୍ୟ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ ମୋଦୀଙ୍କ ଟିମରେ ୪୩ ଜଣ ନୂଆ ମନ୍ତ୍ରୀ ସାମିଲ ହୋଇପାରନ୍ତି । ଆଜି ସନ୍ଧ୍ୟାରେ ସେମାନେ ଶପଥ ନେଇପାରନ୍ତି । ତେବେ ସେମାନଙ୍କ ନାମ ରାଷ୍ଟ୍ରପତି ଭବନକୁ ଯାଇଥିବା ସୂଚନା ମିଳିଛି । ତନ୍ମଧ୍ୟରୁ ଜ୍ୟୋତିରାନ୍ଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ପଶୁପତି ପାରସ, ନାରାୟଣ ରାଣେ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ମିନାକ୍ଷୀ ଲେଖି ଓ ଅଶ୍ୱିନ ବୈଷ୍ଣବଙ୍କ ନାମ ସାମିଲ ଥିବା ଜଣାଯାଇଛି । ସେହିପରି ରାଷ୍ଟ୍ରମନ୍ତ୍ରୀ ଥିବା ୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିବା ନେଇ ମଧ୍ୟ ସୂଚନା ମିଳିଛି । ଏମାନଙ୍କ ନାମ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯାଇଥିବା ଜଣାଯାଇଛି ।
ଆଜି ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯିବାନେଇ ଏବେ ଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ନେତାଙ୍କ ଭିଡ଼ ଜମିବାରେ ଲାଗିଛି । ସେଭେନ ଲୋକକଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଘରେ ଭିଡ଼ ଧୀରେ ଧୀରେ ଭିଡ଼ ହେବାରେ ଲାଗିଛି । ନୂଆ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ପଦ ପାଇବା ନେଇ ଚର୍ଚ୍ଚାରେ ଥିବା ନେତା ମୋଦୀଙ୍କ ବାସଭବନରେ ପହଞ୍ଚୁଥିବା ଜଣାଯାଇଛି ।
Powered by Froala Editor