ଦିଲ୍ଲୀ ଷ୍ଟେସନ ଦଳାଚକଟା; ମୃତକଙ୍କ ପରିବାରଙ୍କୁ ୧୦ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ: ଗତକାଲି ରାତିରେ ଦିଲ୍ଲୀ ରେଲୱେ ଷ୍ଟେସନରେ ଦଳାଚକଟା ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ମହାକୁମ୍ଭରେ ଯୋଗଦେବାକୁ ପ୍ରୟାଗରାଜ ଯିବା ପାଇଁ ଲୋକମାନେ ଦିଲ୍ଲୀ ରେଲୱେ ଷ୍ଟେସନରେ ଏକାଠି ହୋଇଥିଲେ । ନୂଆଦିଲ୍ଲୀ ରେଳ ଷ୍ଟେସନରେ ଟ୍ରେନ୍ ବାତିଲ ଯୋଗୁଁ ଭିଡ଼ ଅଧିକ ଥିଲା, ଯାହା ଫଳରେ ଅଣାୟତ ସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ପାଖାପାଖି ୧୮ ଜଣଙ୍କ ମୃତ୍ୟୁ ଘଟିଛି। ବହୁ ଲୋକ ଆହତ ହୋଇଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି । ଦଳାଚକଟା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଷ୍ଟେସନରେ ଥିବା ଯାତ୍ରୀମାନଙ୍କୁ ୪ଟି ସ୍ବତନ୍ତ୍ର ଟ୍ରେନରେ ନିଆଯାଇଛି । ଆହୁରି ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଦିଲ୍ଲୀ ରେଳଷ୍ଟେସନ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି । ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
ଅନ୍ୟପଟେ ମୃତକ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛି ରେଳ ବିଭାଗ । ମୃତକଙ୍କ ପରିବାରଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ଏବଂ ଗୁରୁତର ଆହତଙ୍କ ପାଇଁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଓ ସାମାନ୍ୟ ଆହତଙ୍କ ପାଇଁ ଲକ୍ଷେ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି ରେଳ ମନ୍ତ୍ରାଳୟ ।ମିଳିଥିବା ସୂଚନା ଅନୁସାରେ ୧୮ ମୃତକଙ୍କ ମଧ୍ୟରେ ୯ଜଣ ବିହାରର, ୮ଜଣ ଦିଲ୍ଲୀର ଓ ଜଣେ ହରିୟାଣାର ବୋଲି ସୂଚନା ମିଳିଛି ।
Powered by Froala Editor