ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ :ହିଂସା କବଳିତ ମଣିପୁରରେ ଗୁରୁବାର ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୯ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ଇସ୍ତଫା ଦେବା ପରଠାରୁ କିଏ ନେତା ହେବେ ସେ ନେଇ ଛକାପଞ୍ଝା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୂଆ ନେତାଙ୍କୁ ମନୋନୀତ କରିବାରେ ବିଜେପି ବିଫଳ ହୋଇଥିବାରୁ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଣିପୁରର ରାଜ୍ୟପାଳଙ୍କଠାରୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରିପୋର୍ଟ ପାଇବା ପରେ ତାହା ଉପରେ ବିଚାର ବିମର୍ଶ କରିଥିଲେ ଓ ସେଠାରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ସରକାର ଚଳାଇବା ସମ୍ଭବ ନ ହେବା ବିଷୟକୁ ବିଚାରକୁ ନେଇ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ।ବିଜେପିର ଉତ୍ତର-ପୂର୍ବ ପ୍ରଭାରୀ ସମ୍ବିତ ପାତ୍ର ଓ ମଣିପୁର ବିଧାୟକଙ୍କ ମଧ୍ୟରେ ଅନେକ ପର୍ୟ୍ୟାୟ ଆଲୋଚନା ସତ୍ତ୍ୱେ ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ ନୂଆ ନେତା ଘୋଷଣା କରିବାରେ ବିଫଳ ହୋଇଛି। ଗତ ଦୁଇ ଦିନ ମଧ୍ୟରେ ଶ୍ରୀ ପାତ୍ର ଦୁଇ ଥର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟିଛନ୍ତି। ମଙ୍ଗଳବାର ଶ୍ରୀ ପାତ୍ର ଦଳର ରାଜ୍ୟ ସଭାପତି ଏ ଶାରଦା ଦେବୀଙ୍କ ଉପସ୍ଥିତିରେ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିବା ବେଳେ ବୁଧବାର ପୁଣି ରାଜ୍ୟପାଳଙ୍କୁ ଭେଟିଥିଲେ।
Powered by Froala Editor