ଜେଇଇ ପାଇଲେନି ବୋଲି ଜୀବନ ହାରିଦେଲେ ଅଦିତି

ଇଞ୍ଜିନିୟରିଂ ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ମେନ୍ ରେଜଲ୍ଟ ବାହାରିବା ପରେ ପୁଣି ଏକ ଆତ୍ମହତ୍ୟା ଖବର ସାମନାକୁ ଆସିଛି। ବାପା-ମା’ଙ୍କ ସ୍ୱପ୍ନ ପୂରଣ କରିପାରିନଥିବା କହି ଜଣେ ଛାତ୍ରୀ ଝୁଲି ପଡ଼ିଥିବା ପୋଲିସ ସୂଚନା ଦେଇଛି। ଉତ୍ତର ପ୍ରଦେଶର ଗୋରଖପୁରରୁ ଏ ଘଟଣା ସାମ୍ନାକୁ ଆସିଛି। ୧୮ବର୍ଷୀୟ ଅଦିତି ମିଶ୍ରା ଜେଇଇ ପରୀକ୍ଷାରେ ବିଫଳ ହେବା କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ଅଦିତି ଦ୍ୱାଦଶ ଶ୍ରେଣୀରେ ପଢୁଥିଲେ। ଇଞ୍ଜିନିୟରିଂପାଇଁ ଥିବା JEE ମେନ୍ ପରୀକ୍ଷା ଦେବାକୁ ଏକ ଘରୋଇ କୋଚିଂ ପ୍ରତିଷ୍ଠାନରେ ରହି ପାଠ ପଢୁଥିଲେ। ଗତ ମଙ୍ଗଳବାର JEEମେନ୍ ରେଜଲ୍ଟ ଆସିଥିଲା। ହେଲେ ସେ ଏଥିରେ କୃତକାର୍ଯ୍ୟ ହୋଇପାରିନଥିଲେ। ଏହାକୁ ନେଇ ସେ ମାନସିକ ଚାପରେ ଥିଲେ। ଏହାପରେ ବୁଧବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ରୁମ୍ରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି ପୋଲିସ।
ସୁଇସାଇଡ ନୋଟରେ ଲେଖାଯାଇଛି ଯେ, "କ୍ଷମା କରିବ ମମି-ପାପା... ମୁଁ ପାସ୍ ହୋଇପାରିଲି ନାହିଁ। ଏହା ଆମ ସମ୍ପର୍କର ଶେଷ ଥିଲା। ତୁମେମାନେ କାନ୍ଦିବ ନାହିଁ। ତୁମେମାନେ ମୋତେ ବହୁତ ଭଲପାଇଥିଲ। ହେଲେ ମୁଁ ତୁମର ସ୍ୱପ୍ନ ପୂରଣ କରିପାରିଲି ନାହିଁ। ସାନ ଭଉଣୀର ଯତ୍ନ ନେବ, ସେ ନିଶ୍ଚିତ ଭାବରେ ତୁମର ସ୍ୱପ୍ନ ପୂରଣ କରିବ। ତୁମର ସ୍ନେହୀ ଝିଅ- ଅଦିତି।"
Powered by Froala Editor