ବିବାହ ମଣ୍ଡପକୁ ଆସିଲା ବାଘ, କାର୍ରେ ଲୁଚିଲେ ବର ଓ କନ୍ୟା

ବୁଧବାର ଲକ୍ଷ୍ମୌର ପାରା ଥାନା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଲକ୍ଷ୍ମୌରେ ଥିବା ଏମଏମ ଲେନରେ ବିବାହ ଉତ୍ସବ ଚାଲିଥିଲା। ବରଯାତ୍ରୀ , ଗେଷ୍ଟମାନେ ଭୋଜି ଖାଉଥିଲେ। ଫଟୋ ଉଠାଉଥିଲେ ଏବଂ ଗୀତ ଗାଉଥିଲେ, ନୃତ୍ୟ କରୁଥିଲେ ଏବଂ ଆନନ୍ଦ କରୁଥିଲେ । ଏହି ସମୟରେ ବିବାହ ଉତ୍ସବକୁ ପଶିଆସିଲା କଲାରାପତରିଆ ବାଘ ।
ବାଘକୁ ଦେଖି ବିବାହ ଉତ୍ସବରେ ଥିବା ଲୋକେ ଛିନଛତ୍ର ହୋଇଯାଇଥିଲେ। ଯିଏ ଜୁଆଡେ ଜୀବନ ବିକଳରେ ଦୌଡ଼ିବାକୁ ଲାଗିଥିଲେ । ଓଜନଦାର ଲେହେଙ୍ଗା ପିନ୍ଧିଥିବା କନ୍ୟା ବିବାହ ମଣ୍ଡପ ଛାଡ଼ି ସାଙ୍ଗଙ୍କ ସହ ଦୌଡ଼ି ଥିଲେ। ଅନ୍ୟପକ୍ଷରେ ବର ମଧ୍ୟ ମଣ୍ଡପର ଝରକାରୁ ତଳକୁ ଡେଇଁ ପଳାଇଥିଲେ। ଜୀବନ ବଞ୍ଚାଇବା ପାଇଁ ବିବାହ ବନ୍ଦ କରିବାକୁ ପଡ଼ିଥିଲା ଏବଂ ବର-କନ୍ୟା ଘଣ୍ଟା ଘଣ୍ଟା ଧରି ନିଜ କାର୍ ରେ ରହିଥିଲେ।
ଶେଷରେ ବନ ବିଭାଗର ଏକ ଟିମ୍ ଚିତାବାଘକୁ ଧରିଥିଲା। ବାଘକୁ କାବୁ କରିବା ପାଇଁ ଚେଷ୍ଟା କରିବା ବେଳେ ଜଣେ ବନ କର୍ମଚାରୀ ଆହତ ହୋଇଥିଲେ। ରାତିସାରା ଚାଲିଥିଲା ବାଘକୁ କାବୁ କରିବା ପାଇଁ ଅପରେସନ। ଶେଷରେ ସକାଳୁ ସକାଳୁ ବାଘକୁ କାବୁ କରିବାରେ ସଫଳ ହୋଇଥିଲେ ବନ କର୍ମଚାରୀ।
Powered by Froala Editor