ବଳାତ୍କାର ଓ ପ୍ରତାରଣା ଅଭିଯୋଗ, ବନପାଳ ଗିରଫ

ବଳାତ୍କାର । ତାପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା । ଏଭଳି ଅଭିଯୋଗ ମାଲକାନଗିରି ବନପାଳ ମୁରଲୀଧର ଅନୁଗୁଳିଆଙ୍କ ନାଁରେ ଆସିଛି । ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ବନପାଳଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ମାଲକାନଗିରି ସଦର ବନପାଳ ମୁରଲିଧର ଅନୁଗୁଳିଆ ଓରକେଳ ଥାନା ଅଧୀନ ଏକ ଗ୍ରାମକୁ ଡିୟୁଟିରେ ଯାଇଥିଲେ। ସେଠାରେ ତାଙ୍କର ଜଣେ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ ହୋଇଥିଲା। ଯୁବତୀ ଜଣକ ଏପ୍ରିଲ ୫ ତାରିଖରେ ବନପାଳଙ୍କ ଘରକୁ ବୁଲିବାକୁ ଆସିଥିଲେ। ରାତି ହୋଇଯିବାରୁ ଘରକୁ ଯାଇ ନ ପାରି ବନପାଳଙ୍କ ଘରେ ରହି ଯାଇଥିଲେ। ଏକୁଟିଆର ସୁଯୋଗ ନେଇ ବନପାଳ ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏ ସମ୍ପର୍କରେ ଉଭୟଙ୍କ ପରିବାର ଜାଣିବା ପରେ ସେମାନଙ୍କ ବିବାହ କରିବାକୁ ଅନୁଗୁଳିଆଙ୍କ ପରିବାର ଲୋକ ସହମତି ପ୍ରକାଶ କରିଥିଲେ। ତାଙ୍କୁ ଖୁବ ଶୀଘ୍ର ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ।
ପରେ କେବେ ବିବାହ ହେବ ବୋଲି ଯୁବତୀ ଜଣକ ପଚାରିବାରୁ ବନପାଳ ଦିନ ଗଡାଇ ଚାଲିଥିଲେ। କିଛି ଦିନ ପରେ ବନପାଳ ଅନ୍ୟ ଜଣଙ୍କୁ ବିବାହ କରିଥିବା ଜାଣିପାରି ଯୁବତୀ ଜଣକ ଆସି ପଚାରିଥିଲେ। ବନପାଳ ଯୁବତୀଙ୍କୁ ଗାଳିଗୁଳଜ କରିବା ସହ ଧମକ ଦେଇ ବିଦା କରି ଦେଇଥିଲେ। ଯୁବତୀ ଜଣକ ମାଲକାନଗିରି ଏସଡିଜେଏମ କୋର୍ଟର ଦ୍ବାରସ୍ଥ ହୋଇ ବନପାଳଙ୍କ ନାମରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବନପାଳଙ୍କ ବିରୋଧରେ ମାଲକାନଗିରି ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ମୁରଲିଧର ଅନୁଗୁଳିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
Powered by Froala Editor