ଘାଟିରେ ଓଲଟିଲା ଫଳ ବୋଝେଇ ଟ୍ରକ, ୧୦ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉତ୍ତର କନ୍ନଡ ଜିଲ୍ଲା ଆରାବେଲ ଘାଟିରେ ଓଲଟିଲା ଫଳ ବୋଝେଇ ଟ୍ରକ । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ୟାଲାପୁରା ତାଲୁକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତରଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମାର୍କେଟ ଯାଉଥିବା ବେଳେ ଘଟିଛି ଅଘଟଣ । ମୃତ୍ୟୁ ସଂଖ୍ୟା ଆଗକୁ ବଢିବା ନେଇ ଅନୁମାନ କରାଯାଉଛି ।
ଫଳ ଓ ପନିପରିବା ନେଇ କର୍ଣ୍ଣାଟକର ସାଭାନୁରୁରୁ ହାଭେରି ଜିଲ୍ଲାର କୁମଟା ମାର୍କେଟକୁ ଯାଉଥିଲା ଏକ ଟ୍ରକ । ଯେଉଁଥିରେ ୪୦ ଜଣ ବିକାଳି ଯାତ୍ରା କରୁଥିଲେ । ହେଲେ ବୁଧବାର ସକାଳ ପ୍ରାୟ ୫.୩୦ ସମୟରେ ୟାଲାପୁରାର ଆରାବେଲ ଘାଟିରେ ଓଲଟି ପଡିଛି ଟ୍ରକ । ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୧୫ ଜଣ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଅନୁମାନ କରାଯାଉଛି ।ଖବର ପାଇ ଘଟଣାସ୍ଥଳରେ ନିକଟସ୍ଥ ପୋଲିସ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ଲାଗି ପଡିଛି । ଆହତଙ୍କୁ ଚିକିତ୍ସା ପାଇଁ ୟାଲାପୁରା ତାଲୁକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ହୁବାଲିର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ମୃତଦେହ ଗୁଡିକୁ ୟାଲାପୁରା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
Powered by Froala Editor