ସାଂସଦଙ୍କୁ ବିବାହ କରିବେ କ୍ରିକେଟର ରିଙ୍କୁ

ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବେ କ୍ରିକେଟର ରିଙ୍କୁ ସିଂହ। ଉଭୟଙ୍କ ପରିବାର ପକ୍ଷରୁ ବିବାହ ପାଇଁ ସହମତି ପ୍ରକାଶ କରାଯାଇଥିବା ସୂଚନା ମିଳିଛି। ପ୍ରିୟା ସରୋଜଙ୍କ ସହ ଲକ୍ଷ୍ନୌରେ ସେ ନିର୍ବନ୍ଧ କରିଥିବା କୁହାଯାଇଥିଲା। ଏହାର କିଛି ଫଟୋ ଭାଇରାଲ ହୋଇଥିଲା। ହେଲେ ଏହା ଗୁଜବ ବୋଲି ଜଣାପଡ଼ିଛି। ଏବେ ଉଭୟଙ୍କ ନିର୍ବନ୍ଧ ହୋଇ ନ ଥିବା ପ୍ରିୟାଙ୍କ ବାପା ତୁଫାନୀ ସରୋଜ ସ୍ପଷ୍ଟ କରିଛନ୍ତି। ତେବେ ଆଗାମୀ ଦିନରେ ଦୁହିଁଙ୍କ ନିର୍ବନ୍ଧ ହେବ ବୋଲି ସେ କହିଛନ୍ତି।
୨୬ ବର୍ଷୀୟା ପ୍ରିୟା ଉତ୍ତରପ୍ରଦେଶର ମଛଲିସହର ଆସନରୁ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୨୪ରେ ସେ ପ୍ରଥମ ଥରି ଲାଗି ନିର୍ବାଚନ ଲଢ଼ିବା ସହିତ ବିଜୟୀ ହୋଇଥିଲେ। ପ୍ରିୟାଙ୍କ ବାପା ତୁଫାନୀ ସରୋଜ ସମାଜବାଦୀ ପାର୍ଟିର ବରିଷ୍ଠ ନେତା। ସେ ୩ ଥର ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ବର୍ତ୍ତମାନ କେରାକତ ବିଧାନସଭା ଆସନରୁ ବିଧାୟକ ରହିଛନ୍ତି। ସେ ଜଣେ ଆଇନଜୀବୀ ମଧ୍ୟ।
କୁହାଯାଉଛି ଯେ ରିଙ୍କୁ ଏବଂ ପ୍ରିୟାଙ୍କ ନିର୍ବନ୍ଧ ସଂସଦର ବଜେଟ ଅଧିବେଶନ ଶେଷ ହେବା ପରେ ହେବ। ଏବେ କେବଳ ରୋକା ହୋଇଛି। ଶୀଘ୍ର ଦୁହେଁ ଲକ୍ଷ୍ନୌରେ ନିର୍ବନ୍ଧ ଏବଂ ପରେ ବିବାହ କରିବେ। ଏହାପରେ ଜୌନପୁର ଏବଂ ଅଲିଗଡ଼ରେ ରିସେପ୍ସନ ଦିଆଯିବ। ଏଥିରେ କ୍ରିକେଟ ଏବଂ ରାଜନୀତି ସହ ଜଡ଼ିତ ଅନେକ ଲୋକପ୍ରିୟ ତାରକା ସାମିଲ ହେବେ। ରିଙ୍କୁଙ୍କ ବିବାହ ସ୍ଥିର ହୋଇଥିବା ଜଣାପଡ଼ିବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଛି।
Powered by Froala Editor