ରଙ୍ଗ ଫିକା ପଡିଗଲା, କାଂସ୍ୟ ପଦକ ଫେରାଇବେ ମନୁ

ମନୁ ଭାକର ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି କାଂସ୍ୟ ପଦକ ଜିତି ପ୍ରଥମ ଭାରତୀୟ ଖେଳାଳି ଭାବେ ଇତିହାସ ରଚିଥିଲେ। କିନ୍ତୁ ଦୁଇଟି ମେଡାଲ ବିଜେତା ମନୁ ଭାକର ନିଜ ପଦକ ଫେରାଇବାକୁ ଯାଉଛନ୍ତି।
ପ୍ରକାଶିତ ରିପୋର୍ଟ ମୁତାବକ, ମନୁ ପାଇଥିବା ଏହି ଦୁଇଟି ପଦକ ବଦଳାଯିବା ନେଇ ଖବର ଚର୍ଚ୍ଚାରେ ରହିଛି। ମନୁ ପାଇଥିବା ପଦକଗୁଡ଼ିକର ରଙ୍ଗ ଫିକା ପଡ଼ି ତାହା ବହୁତ ଖରାପ ଅବସ୍ଥାରେ ଅଛି। ତେଣୁ ତାଙ୍କୁ ତାଙ୍କର ଦୁଇଟି କାଂସ୍ୟ ପଦକ ବଦଳରେ ନୂତନ ପଦକ ମିଳିବାର ସମ୍ଭାବନା ଅଛି।
କିଛି ଦିନ ହେବ ବିଶ୍ୱର ଅନେକ ଖେଳାଳି ସେମାନଙ୍କର ପୁରୁଣା ପଦକର ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହାର ଅବସ୍ଥା ଖରାପ ହୋଇଯାଇଥିବା ଦେଖିବାକୁ ମିଳୁଛି।
ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) କହିଛି ଯେ କ୍ଷତିଗ୍ରସ୍ତ ପଦକଗୁଡ଼ିକୁ ମୋନାଇ ଡେ ପ୍ୟାରିସ୍ ଦ୍ୱାରା ଏକ ବ୍ୟବସ୍ଥିତ ଉପାୟରେ ବଦଳାଯିବ। ଖେଳାଳିମାନଙ୍କୁ ମିଳିବାକୁ ଥିବା ନୂତନ ପଦକ ପୁରୁଣା ପଦକ ସହିତ ସମାନ ରହିବ।
ପ୍ୟାରିସ୍ ଅଲିମ୍ପିକ୍ସ ଆୟୋଜନ କମିଟି ମୋନାଇ ଡେ ପ୍ୟାରିସ୍ ସହିତ ମିଶି ସମସ୍ତ କ୍ଷତିଗ୍ରସ୍ତ ପଦକକୁ ବଦଳାଇବା ପାଇଁ କାମ କରୁଛି, କାରଣ ମୋନାଇ ଡେ ପ୍ୟାରିସ୍ ହିଁ ଏହି ପଦକଗୁଡ଼ିକୁ ନିର୍ମାଣ କରିଥିଲା।
ପ୍ୟାରିସ ଅଲିମ୍ପିକ ଆୟୋଜନ କମିଟି ମୋନାଇ ଡି ପ୍ୟାରିସ ପଦକ ତିଆରି କରିବାର ଚୁକ୍ତି ଦେଇଥିଲା। ଏହା ଏକ ସରକାରୀ କମ୍ପାନୀ ଯାହା ଫ୍ରାନ୍ସ ପାଇଁ ମୁଦ୍ରା ଏବଂ ଅନ୍ୟାନ୍ୟ ମୁଦ୍ରା ମଧ୍ୟ ଉତ୍ପାଦନ କରେ। ରିପୋର୍ଟ ଅନୁଯାୟୀ, କମ୍ପାନୀ ଆଗାମୀ ସପ୍ତାହରେ ଖେଳାଳିମାନଙ୍କର ସମସ୍ତ ପଦକ ବଦଳାଇ ଦେବ।
Powered by Froala Editor