ବୁଡ଼ ପକାଇ ଷ୍ଟିଭ୍ ଜବ୍ସଙ୍କ ସ୍ତ୍ରୀ ଲୌରେନ୍ ପାଓ୍ବେଲ ଅସୁସ୍ଥ

ମହାକୁମ୍ଭ ଉତ୍ସବର ଦ୍ୱିତୀୟ ଦିନରେ ଆପଲ୍ ସହପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ସ୍ତ୍ରୀ ଲୌରେନ୍ ପାଓ୍ବେଲ ଜବ୍ସ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କଠାରେ ଆଲର୍ଜି ଦେଖାଦେଇଥିଲେ ମଧ୍ୟ ସେ ପ୍ରୟାଗରାଜରେ ଗଙ୍ଗା ନଦୀରେ ବୁଡ଼ ପକାଇଛନ୍ତି। ସେ ଆଧ୍ୟାତ୍ମିକ ଗୁରୁ ସ୍ବାମୀ କୈଳାସାନନ୍ଦ ଗିରିଙ୍କ ଶିବିରରେ ବିଶ୍ରାମ ନେଇଛନ୍ତି।
ସେ ପବିତ୍ର ସଙ୍ଗମ ସ୍ଥଳୀରେ ବୁଡ଼ ପକାଇଥିଲେ। ହେଲେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିବା ସ୍ୱାମୀ କୈଳାଶନନ୍ଦ ଗିରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେ ଆମ ଧର୍ମ ଓ ସଂସ୍କୃତି ବିଷୟରେ ଜାଣିବା ପାଇଁ ଏଠାକୁ ଆସିଛନ୍ତି। ହେଲେ ସେ ପୂର୍ବରୁ କେବେ ଏଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ରହିନଥିଲେ। ସେଥିପାଇଁ ତାଙ୍କର କିଛି ଏଲର୍ଜି ହୋଇଛି। ଅସୁସ୍ଥ ଥିବା ସତ୍ତ୍ୱେ ସେ ବୁଡ଼ ପକାଇବା ପାଇଁ ଆଗ୍ରହୀ। ପୂଜା ସମୟରେ ସେ ଉପସ୍ଥିତ ରହିଥିଲେ ବୋଲି କୈଳାସାନନ୍ଦଜୀ କହିଛନ୍ତି।
ଉଲ୍ଲେଖ ଯୋଗ୍ୟ, ନୀରଞ୍ଜନ ଆଖଡାର ଆଚାର୍ଯ୍ୟ କୈଳାସାନନ୍ଦଜୀ ଗିରି ମହାରାଜ ଲୌରେନ୍ ପାଓ୍ବେଲଙ୍କୁ ଆଧ୍ୟାତ୍ମିକ ନିବିଡ଼ତାର ପ୍ରତୀକ ଭାବେ କମଳା ନାମ ଦେଇଥିଲେ। ସେ ପ୍ରୟାଗରାଜ ଆସିବା ପୂର୍ବରୁ ବାରଣାସୀ ଯାଇଥିଲେ। ସେଠାରେ ସେ କାଶୀବିଶ୍ୱନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ। ତାଙ୍କ ସହ କୈଳାସାନନ୍ଦଜୀ ଗିରି ମହାରାଜ ମଧ୍ୟ କାଶୀବିଶ୍ୱନାଥ ମନ୍ଦିରରେ ଉପସ୍ଥିତ ଥିଲେ।
Powered by Froala Editor